ଭୁବନେଶ୍ୱର (ଏଟିଆର ବ୍ୟୁରୋ); ପ୍ରଥମ ଥର ଲାଗି ବିଧାନସଭା ଆସନରେ ବିଜୟ ହୋଇଛନ୍ତି ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ସୌମ୍ୟରଞ୍ଜନ ପଟ୍ଟନାୟକ । ତେବେ ଚଳିତ ନିର୍ବାଚନରେ ଏକ ବିଶାଳ ବିଜୟ ହାସଲ କରିଛନ୍ତି ଯାହାକି ବିଜେଡି ସୁପ୍ରିମୋ ନବୀନଙ୍କଠାରୁ ମଧ୍ୟ ବହୁତ ଅଧିକ ରହିଛି । ବିଜେଡିର ୧୧୨ଜଣ ବିଧାୟକ ପ୍ରାର୍ଥୀ ବିଜୟ ହୋଇଛନ୍ତି । ତେବେ ଏହିସବୁ ପ୍ରାର୍ଥୀଙ୍କ ମଧ୍ୟରେ ଖଣ୍ଡପଡାର ବିଜେଡି ସିପାହୀ ସୌମ୍ୟରଞ୍ଜନ ସବୁଠାରୁ ଅଧିକ ଭୋଟରେ ବିଜୟ ହୋଇଛନ୍ତି । ସୌମ୍ୟ ପୂର୍ବରୁ ଭୁବନେଶ୍ୱର ଲୋକସଭା ଆସନରେ ବିଜୟ ହୋଇଥିଲେ । କିନ୍ତୁ କେବେ ବି ବିଧାନସଭା ଆସନରେ ବିଜୟ ହୋଇ ନାହାଁନ୍ତି ।
ସୌମ୍ୟ ଚଳିତ ନିର୍ବାଚନରେ ନିକଟତମ ପ୍ରତିନିଧି ବିଜେପିର ସିଦ୍ଧାର୍ଥଶେଖରଙ୍କୁ ଲକ୍ଷେରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି । ସେ ରାଜ୍ୟର ବିଧାୟକଙ୍କ ମଧ୍ୟରେ ସବୁଠାରୁ ଅଧିକ ଭୋଟରେ ଜିତିଛନ୍ତି । ତାଙ୍କ ପଛକୁ ରହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ୬୦ହଜାର ଅଧିକ ଭୋଟରେ ଜିତିଛନ୍ତି । ତାଙ୍କ ପଛକୁ ରହିଛନ୍ତି ଆଠଗଡର ବିଜେଡି ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ।
ସୌମ୍ୟରଞ୍ଜନ ଖଣ୍ଡପଡା ଆସନରୁ ୨୦୦୯ ଏବଂ ୨୦୧୪ରେ ପରାଜୟ ବରଣ କରିଥିଲେ । ଥରେ କଂଗ୍ରେସ ଏବଂ ଆଉଥରେ ନିଜ ଦଳ ଆମ ଓଡିଶାରୁ ପ୍ରାର୍ଥୀଭାବେ ଲଢ଼ିଥିଲେ ସୌମ୍ୟ । କିନ୍ତୁ ଏଥରକ ସେ ବିଜେଡି ଟିକେଟରେ ନିର୍ବାଚନକୁ ଓହ୍ଲାଇ ବଡ ବିଜୟର ସ୍ୱାଦ ଛାଖିଛନ୍ତି । ୨୦୧୪ରେ ସେ ବିଜେଡି ପ୍ରାର୍ଥୀ ଅନୁଭବ ପଟ୍ଟନାୟକଙ୍କଠାରୁ ଅଳ୍ପ ଭୋଟରେ ପରାଜୟ ହୋଇଥିଲେ । କିନ୍ତୁ ଏଥରକ ତାଙ୍କ ବିଜୟରେ କେହି ରୋକ ଲଗେଇ ପାରିନାହାଁନ୍ତି । କାରଣ ସୌମ୍ୟଙ୍କ ଭୋଟବ୍ୟାଙ୍କ ଏବଂ ଦଳୀୟ ଭୋଟ ତାଙ୍କୁ ବଡ ବିଜୟ ଦେଇଛି । ପ୍ରଥମଥର ଲାଗି ବିଧାନସଭା ମାଟି ମାଡିବା ପାଇଁ ଯାଉଥିବାରୁ ସୌମ୍ୟଙ୍କ ପ୍ରଂଶସକମାନେ ବେଶ ଖୁସି ଅଛନ୍ତି ।