ଭୁବନେଶ୍ୱର (ଏଟିଆର ବ୍ୟୁରୋ); ବିବାଦରେ ରହି ମଧ୍ୟ ଟିକେଟ ପାଇଥିଲେ । ବିବାଦ ବିଜୟରେ ରୋକ ଲଗାଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା । କିନ୍ତୁ ଏହାର କୌଣସି ପ୍ରଭାବ ପଡିନଥିଲା ରାଜ୍ୟ ରାଜନୀତିର ଦୁଇ ବରିଷ୍ଟ ନେତା ପ୍ରଦୀପ ମହାରଥୀ ଏବଂ ବଦ୍ରି ନାରାୟଣ ପାତ୍ର । ଏମାନେ ଦୁହେଁ ପୁଣିଥରେ ବିଜୟ ହୋଇ ନବୀନଙ୍କ ସିପାହୀ ସାଜିଛନ୍ତି । ଯାହାକୁ ନେଇ ଏବେ ସବୁଆଡେ ଆରମ୍ଭ ହୋଇଛି ଚର୍ଚ୍ଚା ।
ପ୍ରଦୀପ ମହାରଥୀ-ପୁରୀ ଜିଲ୍ଲା ପିପିଲି ନିର୍ବାଚନ ମଣ୍ଡଳୀରେ ଆଶ୍ରିତ ପଟ୍ଟନାୟକଙ୍କୁ ହରାଇ ବିଜୟ ହୋଇଛନ୍ତି । ତେବେ ନିର୍ବାଚନ ପୂର୍ବରୁ ବହୁ ଚର୍ଚ୍ଚିତ ବେବିନା କେସରେ ଆସିଥିବା ରାୟରେ ବିବାଦୀୟ ମନ୍ତବ୍ୟ ଦେଇ ମନ୍ତ୍ରୀ ପଦ ହରାଇଥିଲେ ମହାରଥୀ । ଶେଷ ସମୟରେ ନିର୍ବାଚନ ହେବା ପୂର୍ବ ରାତିରେ ପଇସା ବଣ୍ଟାକୁ ନେଇ ମାଜିଷ୍ଟ୍ରେଟଙ୍କୁ ମଧ୍ୟ ମାଡ ମାରିଥିଲେ । ଯେଉଁ କାରଣରୁ ସେ ଜେଲ ମଧ୍ୟ ଯାଇଥିଲେ । ବେଲରେ ଆସିଥିଲେ । ତେବେ ଏତେସବୁ ବିବାଦ ଘେରରେ ରହିଥିବାରୁ ଜନମତ ତାଙ୍କ ବିପକ୍ଷରେ ଯାଇପାରେ ବୋଲି ଅନୁମାନ କରାଯାଉଥିଲା । କିନ୍ତୁ ସବୁକିଛି ବିଫଳ ହୋଇଥିଲା ।
ବଦ୍ରି ନାରାୟଣ ପାତ୍ର- କେନ୍ଦୁଝର ଜିଲ୍ଲା ଘଷିପୁରା ଆସନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ହରାଇଛନ୍ତି । ଏଠାରେ ନିରଞ୍ଜନଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଚ୍ୟାଲେଞ୍ଜ କରିଥିଲେ ବଦ୍ରି । ତେବେ ବଦ୍ରିଙ୍କ ଦୁଇ ପୁଅଙ୍କ ଗୁଣ୍ଡାଗିରି ସବୁବେଳେ ଗଣମାଧ୍ୟମରେ ପ୍ରସାରଣ ହୋଇଥିଲା । ଏଣୁ ପୁଅଙ୍କ ବ୍ୟବହାର ପାଇଁ ତାଙ୍କ ସପକ୍ଷରେ ଜନମତ ଯାଇନପାରେ ବୋଲି ରାଜନୈତିକ ବିଶାରଦମାନେ ମତ ଦେଇଥିଲେ । କିନ୍ତୁ ସବୁକିଛି ଫେଲ ମାରିଲା ।