ଭୁବନେଶ୍ୱର (ଏଟିଆର ବ୍ୟୁରୋ); ପୁଣିଥରେ ସୁନ୍ଦରଗଡରେ ଜିତିଲେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ । ଏଠାରେ କାମ ଦେଲାନି ନବୀନ ମ୍ୟାଜିକ କିମ୍ବା କଂଗ୍ରେସର ଲଢ଼ୁଆ ନେତା ଜର୍ଜ ତିକିୀଙ୍କ ଲୋକ ପ୍ରିୟତା । ଜୁଏଲ ଓରାମ ଏହି ଆସନରେ ପଞ୍ଚମଥର ଲାଗି ବିଜୟ ହୋଇଛନ୍ତି । ୧୯୯୮ରୁ ସେ ନିଜର ବିଜୟ ଅଭିଯାନ ଆରମ୍ଭ କରିଛନ୍ତି ସୁନ୍ଦରଗଡ ଆସନରେ । କେବଳ ୨୦୦୯ରେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ତାଙ୍କ ବିଜୟରେ ରୋକ ଲଗାଇଥିଲେ ।
୨୦୦୯ରେ ପରାଜୟ ହୋଇଥିଲେ ସୁଦ୍ଧା ସେ ୧୦୧୪ରେ ପୁଣିଥରେ ବିଜୟକୁ ଫେରିଥିଲେ । ଏବଂ ୧୦୧୯ରେ ଏହି ବିଜୟ ଧାରାକୁ ଜାରି ରଖିବାରେ ସକ୍ଷମ ହୋଇଛନ୍ତି ଜୁଏଲ ଓରାମ । ଏଠାରେ ବିଜେଡି ମହିଳା କାର୍ଡ ଖେଳାଇ ବିଜୟ ହେବାର ଯୋଜନା ରଖିଥିଲା । ହେମାନନ୍ଦ ବିଶ୍ୱାଳଙ୍କ ବଡ ଝିଅ ସୁନୀତା ବିଶ୍ୱାଳ ପ୍ରାର୍ଥୀ ହୋଇଥିଲେ । ଅପରପକ୍ଷରେ କଂଗ୍ରେସ ପକ୍ଷରୁ ଜର୍ଜ ତିର୍କୀ ନିର୍ବାଚନକୁ ଓହ୍ଲାଇଥିଲେ । କିନ୍ତୁ ଦୁଇ ହେବିୱେଟଙ୍କ ପଛରେ ପକାଇ ଜିତିଛନ୍ତି ଜୁଏଲ ।
୧୦୧୪ରେ ନିର୍ବାଚନରେ ବିଜେଡି ୨୧ ଲୋକସଭା ଅସନରୁ ୨୦ଟି ପୋଛି ନେଇଥିବା ବେଳେ କେବଳ ଜୁଏଲ ବିଜେପିର ସମ୍ମାନ ରକ୍ଷା କରିଥିଲେ । ସେ ହକି ତାରକା ଦିଲ୍ଲୀପ ତିର୍କୀଙ୍କୁ ପରାସ୍ତ କରିଥିଲେ । ଚଳିତ ବର୍ଷ ଏହି ଆସନରେ ବଡ ଲଢ଼େଇ ହେବ ବୋଲି ଆଶା କରାଯାଉଥିଲା । କାରଣ ବିଜେଡି କଂଗ୍ରେସର ସୁନିତାଙ୍କୁ ଆଣି ଦଳରେ ମିଶାଇ ଫାଇଦା ଉଠାଇବାକୁ ଚେଷ୍ଠା କରିଥିବା ବେଳେ ଜର୍ଜଙ୍କ ଭଳି ଲଢ଼ୁଆ ନେତା ଜୁଏଲଙ୍କ ଭୋଟକୁ ମାଇନସ କରାଇପାରନ୍ତି ବୋଲି ଆଶା କରାଯାଉଥିଲା । କିନ୍ତୁ ସବୁକିଛି ଫେଲ ମାରିଛି । ଏବଂ ଜୁଏଲ ବଡ ବିଜୟ ହାସଲ କରିଛନ୍ତି ।