ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ନିର୍ବାଚନରେ ବିଜେପି ବିପୁଳ ଜନମତ ସହ ସରକାର ଗଢିବାକୁ ଯାଉଛି । ଆସନ୍ତା ୩୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ମନ୍ତ୍ରୀମଣ୍ଡଳର ସପଥ ଉତ୍ସବ ଅନୁଷ୍ଠିତ ହେବ । ସାରା ଦେଶର ଏବେ ମୋଦିଙ୍କ ମନ୍ତ୍ରୀମଣ୍ଡଳ ଉପରେ ନଜର ରହିଥିବା ବେଳେ ଆଉ ଏକ ନୂଆ କଥା ଚର୍ଚ୍ଚା ଜୋର ଧରିଛି । ଏଥର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏକ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ରହିବେ ବୋଲି ଶୁଣିବାକୁ ମିଳୁଛି ।
ଏଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ଦେବେ ବୋଲି ସୂତ୍ରରୁ ଖବର ପ୍ରକାଶ ପାଇଛି । ତେବେ ଏମିତି ହେଲେ ବିଜେପି ଓଡିଆ ପୁଅ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ଦେଇ ପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ଧର୍ମେନ୍ଦ୍ରଙ୍କ ନେତୃତ୍ୱରେ ଏଥର ଓଡିଶାରେ ବିଜେପି ଭଲ କରିଥିବା ବେଳେ ଧର୍ମେନ୍ଦ୍ରଙ୍କର ପୂର୍ବାଞ୍ଚଳ ରାଜ୍ୟ ଗୁଡିକରେ ଭଲ ଖ୍ୟାତି ରହିଛି ।
ପୂର୍ବାଞ୍ଚରେ ସଂଗଠନ ମଜୁବୁତ କରିବା ପାଇଁ ଧର୍ମେନ୍ଦ୍ରଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ଦଳ ତାଙ୍କ ଉପରେ ଭରଷା କରି ଏହି ଗୁରୁଦାୟିତ୍ୱ ଦେଇପାରେ ବୋଲି ଆଲୋଚନା ହେଉଛି । ତେବେ ଆସନ୍ତା ୩୦ ତାରିଖରେ ଏନେଇ ସ୍ପଷ୍ଟ ହେବ । ନୂଆ ମନ୍ତ୍ରୀ ମଣ୍ଡଳରେ ଧର୍ମେନ୍ଦ୍ରଙ୍କୁ ସ୍ଥାନ ମିଳିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ପେଟ୍ରୋଲିୟମ ପରି ଗୁରୁଦାୟିତ୍ୱ ସୂଚାରୁରୂପେ ତୁଲାଇ ଥିବାରୁ ଏଥିର ତାଙ୍କୁ ମୋଦି ପୁଣି ରିପିଟ କରିପାରନ୍ତି ବୋଲି ରାଜନୈତିକ ସମୀକ୍ଷକ ମତ ରଖୁଛନ୍ତି ।