ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଗତକାଲି ଦ୍ୱିତୀୟଥର ଲାଗି ଦେଶର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ନରେନ୍ଦ୍ର ମୋଦି । ଦ୍ୱିତୀୟ ପାଳି ସରକାରରେ ପୁଣିଥରେ ଓଡିଶାରୁ ଦୁଇ ଜଣଙ୍କୁ ମନ୍ତ୍ରୀ ପଦ ଦେଇଛି ବିଜେପି । ତେବେ ଧମେନ୍ଦ୍ର ପୁଣିଥରେ ମନ୍ତ୍ରୀ ମଣ୍ଡଳରେ ରହିଥିବା ବେଳେ ଆଉଟ ହୋଇଛନ୍ତି ସୁନ୍ଦରଗଡର ସାଂସଦ ଜୁଏଲ ଓରାମ । ତାଙ୍କ ସ୍ଥାନରେ ମୋଦିଙ୍କ ନୂଆ ଟିମରେ ଇନ ହୋଇଛନ୍ତି ପ୍ରତାପ ଷଢ଼ଙ୍ଗୀ ।
ଭୁବନେଶ୍ୱର ଲୋକସଭା ଆସନରେ ବିଜେଡି ହାତରୁ ଛଡାଇ ଆଣିଥିବା ଅପରାଜିତା ଷଢ଼ଙ୍ଗୀ ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇବେ ବୋଲି ଜୋରଦାର ଚର୍ଚ୍ଚା ହୋଇଥିଲା । ଅପରପକ୍ଷରେ ୨୦୧୪ରେ ଓଡିଶାରୁ କେବଳ ବିଜେପି ଲୋକସଭା ପ୍ରାର୍ଥୀ ଜୁଏଲ ବିଜୟ ହୋଇ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଥିଲେ । ଏଣୁ ଏଥର ମଧ୍ୟ ସେ ନିଶ୍ଚିନ୍ତ ମନ୍ତ୍ରୀ ହେବେ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ଗତକାଲି ସବୁକିଛି ପୂର୍ଣ୍ଣଛେଦ ପଡିଥିଲା ।
ଅପରାଜିତା ଏବଂ ଜୁଏଲଙ୍କ ମନ୍ତ୍ରୀ ହେବା ସ୍ୱପ୍ନ ଅଧାରେ ରହିଯାଇଛି । ୨୦୧୪ରେ ଓଡିଶାରୁ ଦୁଇ ଜଣ ଥିଲେ ଏବଂ ୨୦୧୯ ଟିମରେ ମଧ୍ୟ ଦୁଇ ଜଣ ସ୍ଥାନ ପାଇଛନ୍ତିି । ପ୍ରତାପଙ୍କ ନାମକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା । ଜଣେ ଶାନ୍ତ ସରଳ ଏବଂ ନିଶ୍ୱାର୍ଥପର ନେତା ଭାବରେ ସେ ବେଶ ପରିଚିତ । ନୀଳଗିରି ନିର୍ବାଚନ ମଣ୍ଡଳୀରୁ ଦୁଇଥର ବିଧାୟକ ହୋଇଥିଲେ ସୁଦ୍ଧା ଏବେ ପର୍ଯ୍ୟନ୍ତ ସାଧାରଣ ଜୀବନ ଯାପନ କରୁଛନ୍ତି । ଚଳିତ ବର୍ଷ ଦୁଇ କୋଟିପତିଙ୍କୁ ବାଦ ଦେଇ ସାଂସଦ ହୋଇଛନ୍ତି ପ୍ରତାପ ।