ଭୁବନେଶ୍ୱର (ଏଟିଆର ବ୍ୟୁରୋ); ପ୍ରଳୟଙ୍କାରୀ ବାତ୍ୟାକୁ ପୁରିଲା ମାସେ । କେଇ ଘଣ୍ଟାର ପବନରେ ସବୁ କିଛି ଉଜାଡି ଦେଇ ଚାଲିଯାଇଥିଲା । ଯାହାକି ଏବେ ଯାଏଁ ଅଣ୍ଟା ସଳଖି ମଧ୍ୟ ଠିଆ ହେବାରେ ସକ୍ଷମ ହୋଇ ପାରୁନାହିଁ । ବାତ୍ୟାର ପ୍ରଭାବ ୧୪ଟି ଜିଲ୍ଲାରେ ପଡିଥିବା ବେଳେ ପୁରୀ,କଟକ ଏବଂ ଭୁବନେଶ୍ୱରରେ ଏହାର ପ୍ରଭାବ ଅଧିକ ପଡିଥିଲା । ଏବେ ପର୍ଯ୍ୟନ୍ତ ବହୁ ଲୋକ ଅସଜଡା ଭଙ୍ଗାଘରେ ଦିନ କାଟୁଥିବା ବେଳେ ଦିନର ଗରମ ଅସହ୍ୟ କରିଦେଉଛି ଜନଜୀବନକୁ ।
ଏବେ ପର୍ଯ୍ୟନ୍ତ ବିଜୁଳି ସେବାରୁ ବଞ୍ଚିତ ହେଉଛନ୍ତି ପୁରୀ ଜିଲ୍ଲାର ବହୁ ଗ୍ରାମ । ଦିନର ଅସହ୍ୟ ଗରମ ବିରକ୍ତି କରୁଥିବା ବେଳେ ରାତିର କିଟିକିଟି ଅନ୍ଧାର ଭାରି ଭୟଙ୍କର । ଏଭଳି ଭାବରେ ଜିଲ୍ଲାର ବହୁ ଗାଁରେ ଲୋକ ଜୀବନ କାଟୁଛନ୍ତି । ବିଜୁଳି କଥା ଛାଡ ଚାଳରେ ଛପର ମଧ୍ୟ ନାହିଁ । ସରକାର ଦେଇଥିବା ପାଲ ଚାଳ ଘୋଡାଇବା ପାଇଁ ନିଅଣ୍ଟ ହୋଇ ପଡୁଛି । ବର୍ଷା ପାଖେଇ ଆସୁଥିବାରୁ ଭୟରେ ରହୁଛନ୍ତି ଲୋକ ।
ବାତ୍ୟାରେ ଶ୍ରୀମନ୍ଦିରର ମଧ୍ୟ ବହୁ କ୍ଷତି ହୋଇଥିଲା । ଦ୍ୱାରପାଳ ଜୟ ବିଜୟଙ୍କ ମୂର୍ତ୍ତି ଭାଙ୍ଗିଯାଇଥିଲା । ଯାହାକି ଏବେ ପର୍ଯ୍ୟନ୍ତ ଠିକ ହୋଇ ପାରିନାହିଁ । ଆଜି ପର୍ଯ୍ୟନ୍ତ ବହୁ ଲୋକଙ୍କ ପାଖରେ ସରକାରୀ ସହାୟତା ସାତ ସପନ ହୋଇ ପଡିଛି । ଅସଜଡା ଘରେ କିଟିକିଟି ଅନ୍ଧାରରେ କାଟୁଛନ୍ତି ଦିନ । ସରକାରଙ୍କ ସୂଚନା ଅନୁଯାୟୀ ୯୫ ଶତକଡା ଅଞ୍ଚଳରେ ବିଜୁଳି ଆସି ସାରିଲାଣି । ବାକି ୫ ପ୍ରତିଶତ ୧୫ଦିନ ଭିତରେ ହୋଇଯିବ । ପୁରୀ ସହରାଞ୍ଚଳ ସମେତ ସଦର, ବ୍ରହ୍ମଗିରି, କୃଷ୍ଣପ୍ରସାଦ, ଡେଲାଙ୍ଗ, ପିପିଲି ବ୍ଲକ ଏଥିରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା।