ଭୁବନେଶ୍ୱର (ଏଟିଆର ବ୍ୟୁରୋ); ହିଞ୍ଜିଳିକୁ ରଖି ବିଜେପୁର ଆସନକୁ ଛାଡିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ ବିଜେପି ଆସନରୁ ଇସ୍ତଫା ଦେବାରେ ଆରମ୍ଭ ହୋଇଛି ରାଜନୀତି । ବିରୋଧୀମାନେ ନବୀନଙ୍କୁ ସମାଲୋଚନା କରିବା ଆରମ୍ଭ କରିଦେଇଛନ୍ତି । ଆଜି ଏକ ପ୍ରେସମିଟ କରି ବିଜେପି ନବୀନଙ୍କୁ ଟାର୍ଗେଟ କରିଛି । ପଶ୍ଚିମ ଓଡିଶାର ଟାଣୁଆ ନେତା ଜୟନାରାୟଣ ମିଶ୍ର କହିଛନ୍ତି କି ନବୀନ ପଶ୍ଚିମ ଓଡିଶାକୁ ଅପମାନ କରିଛନ୍ତି ।
ବିଜେପୁର ବାସୀଙ୍କୁ ଭେଳିକି ଦେଖୁଛନ୍ତି ନବୀନ । ଏଠାରେ ନିର୍ବାଚନ ଲଢ଼ି ଆସନ ଛାଡିବା ପଶ୍ଚିମ ଓଡିଶା ପାଇଁ ଅପମାନ । ଏଠାରେ ପୁଣିଥରେ ଉପନିର୍ବାଚନ କରି ବିଜେଡି ନେତାମାନେ ପର୍ଯ୍ୟଟନ କ୍ଷେତ୍ର କରିବେ । ତେବେ ଏହି ଆସନକୁ ପ୍ରତ୍ୟାଖାନ କରିଥିବାରୁ ବିଜେପୁର ବାସୀ ଉପନିର୍ବାଚନରେ ଏହାର ଜବାବ ଦେବେ ବୋଲି ମଧ୍ୟ କହିଛନ୍ତି ଜୟ । ଆଗକୁ ହେବାକୁ ଥିବା ଉପନିର୍ବାଚନରେ ଏଠାରେ ବିଜେପି ବିଜୟ ହେବ ବୋଲି ମଧ୍ୟ ଆଶା ରଖିଛି ଦଳ ।
ଚଳିତ ବର୍ଷ ପଶ୍ଚିମ ଓଡିଶାରେ ବିଜେପି ବିଜେଡିକୁ କଡା ଟକ୍କର ଦେଇଥିଲା । ନିର୍ବାଚନ ପୂର୍ବରୁ ଏଠାକୁ କେନ୍ଦ୍ରୀୟ ନେତାମାନେ ଆସି ଡେରା ପକାଇଥିଲେ । ଏଣୁ ପଶ୍ଚିମ ଓଡିଶାରେ ବଡ ପରିବର୍ତ୍ତନ ହେବ ବୋଲି ମଧ୍ୟ ରାଜନୈତିକ ବିଶାରଦମାନେ ମତ ଦେଉଥିଲେ । ଫଳାଫଳରେ ମଧ୍ୟ ଏହା ଦେଖିବାକୁ ମିଳିଥିବା ପଶ୍ଚିମ ଓଡିଶାରେ ବିଧାୟକମାନେ ଜିତିଥିବା ବେଳେ ଲୋକସଭାରେ ବିଜେପି ମୂଳପୋଛ କରିଥିଲା ।
କେନ୍ଦ୍ରୀୟ ନେତାଙ୍କ ରଣନୀତିକୁ ଦୃଷ୍ଟିରେ ରଖି ନବୀନ ନିଜେ ସେଠାରେ ଚାଲାକ କରି ନିର୍ବାଚନକୁ ଓହ୍ଲାଇଥିବା ମଧ୍ୟ ବିରୋଧୀମାନେ ସମାଲୋଚନାରେ କହିଛନ୍ତି । ତେବେ ବିଜୟୀ ହେବା ପରେ ଏହି ଆସନ ଛାଡି ବିଜେପୁରରେ ଉପ ନିର୍ବାଚନ କରାଇବା ପଛରେ କିଛି ରହସ୍ୟ ଥିବା ମଧ୍ୟ ସନ୍ଦେହ କରୁଛନ୍ତି ଜନତା । ସେ ଯାହାବି ହେଉ ଆଗାମି ଉପନିର୍ବାଚନରେ ଏଠାରେ ଜନତା କାହାକୁ ଭରଷା କରିବେ ତାଉପରେ ସମସ୍ତଙ୍କ ନଜର ।