ଭୁବନେଶ୍ୱର (ଏଟିଆର ବ୍ୟୁରୋ); ନବୀନ ବିଜେପୁର ଆସନ ଛାଡିବା ପରେ ଏଠାରେ ଦଳ କାହା ଉପରେ ଭରଷା କରି ଟିକେଟ ଦେବ ତାକୁ ନେଇ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା । ଦଳରେ ବହୁ ଆଶାୟୀ ପ୍ରାର୍ଥୀ ଅଛନ୍ତି । ତେବେ ନବୀନଙ୍କ ବିଶ୍ୱାଶି କିଏ ହେବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବିଜେଡିକୁ ମାତ ଦେବା ପାଇଁ ଦୁଇ ପ୍ରମୁଖ ବିରୋଧୀ ମଧ୍ୟ ଅଣ୍ଟା ଭିଡିଛନ୍ତି ।
ବିଜେପୁର ୩ବର୍ଷରେ ୩ଟି ନିର୍ବାଚନର ସାମନା କରିବା ପାଇଁ ଯାଉଛି । ତେବେ ଏଥରକ କିଏ କେଉଁ ଦଳରୁ ପ୍ରାର୍ଥୀ ହେବ । ବିଜେଡିରେ ରହିଛନ୍ତି ବହୁ ଆଶାୟୀ ପ୍ରାର୍ଥୀ । ଆଶାୟୀଙ୍କ ମଧ୍ୟରେ ଆଗରେ ରହିଛନ୍ତି ସୁବଳ ସାହୁଙ୍କ ସ୍ତ୍ରୀ ରିତା ସାହୁ । ଗତଥର ଉପନିର୍ବାଚନରେ ବିଜୟ ହୋଇ ବର୍ଷେ ପାଇଁ ବିଧାୟକ ହୋଇଥିଲେ । ତେବେ ରୀତାଙ୍କୁ ବାଦ ଦେଲେ ଏଠାରେ ରାଜ୍ୟସଭା ସାଂସଦ ପ୍ରଶନ୍ନ ଆଚାର୍ଯ୍ୟଙ୍କ ନାମ ମଧ୍ୟ ଚର୍ଚ୍ଚା ହେଉଛି । ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିବା ସୁବାଷ ଚୌହ୍ୱାନ ଏବଂ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିବା ପ୍ରଣୟ ସାହୁଙ୍କ ନାମ ମଧ୍ୟ ଚର୍ଚ୍ଚା ହେଉଛି । ତେବେ ବିଜେଡି ସୁପ୍ରିମୋ କାହା ଉପରେ ଭରଷା କରି ଟିକେଟ ଦେଉଛନ୍ତି ତାଉପରେ ସମସ୍ତଙ୍କ ନଜର ।
ବିଜେପି ଏବଂ କଂଗ୍ରେସରେ ମଧ୍ୟ ବହୁ ଆଶାୟୀ ପ୍ରାର୍ଥୀ ଅଛନ୍ତି । ତେବେ ଏଠାରେ ବିଜେପି ଏବଂ ବିଜେଡି ମଧ୍ୟରେ କଡା ଟକ୍କର ହେବ ବୋଲି ଆଶା କରାଯାଉଛି । ନବୀନ ପଟ୍ଟନାୟକ ବିଜେପୁରରେ ନିଜେ ପ୍ରାର୍ଥୀ ହୋଇଥିଲେ ସୁଦ୍ଧା ବିଜେପି ଅଶୋକ ପ୍ରାଣୀଗ୍ରାହୀ ୪୫ ହଜାର ଭୋଟ ପାଇଥିଲେ । ଏଣୁ ବିଜେପି ପୁଣିଥରେ ତାଙ୍କୁ ଟିକେଟ ଦେଇପାରେ । କଂଗ୍ରେସ ରିପୁନାଥ ସେଠଙ୍କୁ ଟିକେଟ ଦେଇପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ଏଠାରେ କେବେ ଉପନିର୍ବାଚନ ହେବ ସେଥିପାଇଁ ତାରିଖ ଘୋଷଣା ହେବା ପରେ ସବୁକିଛି ଜଣା ପଡିବ ।