ମୁମ୍ବାଇ ( ଏଟିଆର ବ୍ୟୁରୋ): ହ୍ରିତିକ ରୋଶନଙ୍କ ଅପକମିଙ୍ଗ ମୁଭି ସୁପର – ୩୦ ଟ୍ରେଲରକୁ ନେଇ ଚର୍ଚ୍ଚା ଜୋର ଧରିଛି । ବିହାରରେ ଗରିବ ଛାତ୍ରଙ୍କ ପାଇଁ ଆଇଆଇଟି କୋଚିଙ୍ଗ ସେଣ୍ଟର ଖୋଲିଥିବା ଆନନ୍ଦ କୁମାରଙ୍କ ଜୀବନ କାହାଣୀଙ୍କୁ ନେଇ ନିର୍ମିତ ହେଉଥିବା ଏହି ସିନେମାର ଟ୍ରେଲର ଏହି ନିକଟରେ ରିଲିଜ ହୋଇଛି । ଯେଉଁଥିରେ ହ୍ରିତିକ ଲିଡ ରୋଲରେ ନଜର ଆସିଛନ୍ତି । ସେ ପକ୍କା ବିହାରି ଟୋକା ଅନ୍ଦାଜରେ ଦେଖା ଦେଇଛନ୍ତି ।
ତେବେ ଏହି ସିନେମାର ଟ୍ରେଲର ରିଲିଜ ହେବାପରେ ଖୋଦ ଆନନ୍ଦ କୁମାର ଏକ ଜାତୀୟ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ କହିଛନ୍ତି ଏବେ ତ ଖାଲି ଟ୍ରେଲର ଆସିଛି । ପୁରା ସିନେମା ଏବେ ବାକି ଅଛି । ଟ୍ରେଲର ଦେଖିବା ପରେ ଲାଗୁଛି ଯେମିତି ସିନେମାରେ ହ୍ରିତିକ ନୁହଁନ୍ତି ବରଂ ମୁଁ ନିଜେ ଅଛି ବୋଲି କହିଛନ୍ତି ଆନନ୍ଦ । ସେ ଆହୁରି ମଧ୍ୟ କହିଛନ୍ତି ସମାଜରେ ଜଣେ ଶିକ୍ଷକର ସଂଘର୍ଷ କିପରି ରହିଥାଏ ତାହା ଏହି ଟିକେ ଝଲକରେ ସ୍ପଷ୍ଟ ବାରି ହୋଇ ପଡୁଛି । ଟ୍ରେଲରକୁ ନେଇ ସେ ବହୁତ ଖୁସି ରହିଥିବା କହିଛନ୍ତି ।
ସୋଶାଲ ମିଡିଆରେ ମଧ୍ୟ ଟ୍ରେଲରକୁ ନେଇ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ହ୍ରିତିକ ରୋଶନଙ୍କ ଅଭିନୟ ବହୁତ ଭଲ ହୋଇଛି ବୋଲି ହ୍ରିତିକଙ୍କ ପ୍ରଶଂସକ ଟ୍ୱିଟ କରି ଜଣାଇଛନ୍ତି । ସିନେମାଟି ଆସନ୍ତା ଜୁଲାଇ ୧୨ ତାରିଖରେ ପରଦାକୁ ଆସିବ ବୋଲି ପ୍ରଜୋଜନା ସସ୍ଥା ପକ୍ଷରୁ ସୂଚନା ରହିଛି । ତେବେ ଦେଖିବାକୁ ବାକି ରହିଲା ଟ୍ରେଲର ପରି ସିନେମା ବକ୍ସ ଅଫିସରେ କେତେ ଧୁମ ମଚାଉଛି ।