ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଶୁକ୍ରବାର ରାତିରେ ସରିଛି ହର ହର ମହାଦେବଙ୍କ ବାହାଘର । ଆଜି ମାତା ପାର୍ବତୀଙ୍କୁ ସାଙ୍ଗରେ ଧରି ଘରକୁ ଫେରିବା ଶିବ । ଯୁଗଳ ମୂର୍ତ୍ତି ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁ ଅପେକ୍ଷା କରି ରହିଛନ୍ତି । ଆଜି ସଂନ୍ଧ୍ୟାରେ ଫେରିବେ ଦେବ ଦମ୍ପତି । ତେବେ ଶୀଳତ ଷଷ୍ଠୀ ପାଇଁ ପୁରା ଜୋରଦାର ସମ୍ବଲପୁର ପ୍ରସ୍ତୁତ । ପଶ୍ଚିମ ଓଡିଶାରେ ଏହା ବଡ ପର୍ବ । ଏଣୁ ଆଜି ଦେବ ଦମ୍ପତିଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତ ଅପେକ୍ଷାରେ ରହିଛନ୍ତି ।
ରାଜଧାନୀ ଲିଙ୍ଗରାଜ ମନ୍ଦିରରେ ବାବାଙ୍କ ବରଯାତ୍ରୀ ବହୁ ଆଡମ୍ବରରେ ବାହାରିଥିଲେ । ଲିଙ୍ଗରାଜ ମନ୍ଦିରରୁ ବାହାରି କେଦାର ଗୌରୀ ମନ୍ଦିରରେ ପହଁଞ୍ଚିଥିଲେ ବରଯାତ୍ରୀ । ଡିଜେ ସାଙ୍ଗକୁ ତାଳ ଦେଇ ଖୁସିରେ ନାଚି ଉଠିଥିଲେ ଶ୍ରଦ୍ଧାଳୁ ।
ସମ୍ବଲପୁରରେ ଗତକାଲି ରାତିରେ ବଡ ଆଡମ୍ବରରେ ବାହାରିଥିଲା ବରଯାତ୍ରୀ । ବରବେଶୀ ମହାଦେବଙ୍କୁ ଦେଖିବା ପାଇଁ ସହରର ରାସ୍ତାଘାଟରେ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଥିଲା । ନନ୍ଦପଡାର ବରାଡ ବାଲୁଙ୍କେଶ୍ୱର, ଝାଡୁଆପଡାର ଶ୍ରୀ ଶ୍ରୀ ବାବା ଲୋକନାଥ, ମୁଦିପଡା ମନ୍ଦିରରୁ ଜାଗେଶ୍ୱର ବାବା, ଠାକୁରପଡା ଗୁପ୍ତେଶ୍ୱର ବାବା, ବଡ ବଜାରର ଶୀତଳେଶ୍ୱର , ବାଲିବନ୍ଧାର ସୋମନାଥବାବାଙ୍କ ବରଯାତ୍ରା ଧୁମଧାମରେ କନ୍ୟା ଘରକୁ ବାହିରିଥିଲା ।
ଭୋଳାବାବାଙ୍କୁ ବିଭିନ୍ନ ପ୍ରକାର ସ୍ୱର୍ଣ୍ଣ ଓ ରୌପ୍ୟ ଅଳଙ୍କାରରେ ସଜ୍ଜିତ କରାଯାଇ ବିମାନରେ ଆସୀନ କରାଯାଇଥିଲା। ବାଜା, ବାଣ,ରୋଶଣୀ ସହ ବରଯାତ୍ରୀଙ୍କୁ ସାଙ୍ଗରେ ନେଇ କନ୍ୟା ଘରକୁ ଯାଇ ବିଧି ମୁତାବକ ପାର୍ବତୀଙ୍କୁ ବିବାହ କରିଥିଲେ ଦେବ ଦେବ ମହାଦେବ। ଦୁଲଦୁଲିର ତାଳେ ତାଳେ ଡାଲଖାଇ ଓ ରସରକେଲି ଗୀତରେ କମ୍ପି ଉଠିଥିଲା ସାରା ପରିବେଶ।