ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ); ଦ୍ୱିତୀୟ ପାଳି ପ୍ରଧାନମନ୍ତ୍ରୀ ହେବା ପରେ ନରେନ୍ଦ୍ର ମୋଦି ଆଜି ପ୍ରଥମ କରି ସମସ୍ତ ମନ୍ତ୍ରଣାଳୟର ସଚିବଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି । ସବୁ ମନ୍ତ୍ରୀମାନଙ୍କ ସଚିବ ମାନଙ୍କ ସହ ମୋଦି ଏହି ବୈଠକରେ ଆଲୋଚନା କରିବେ । ୭ ଲୋକ କଲ୍ୟାଣ ମାର୍ଗ ସ୍ଥିତ ବାସଭବନରେ ମୋଦି ଏହି ବୈଠକ ଡାକିଛନ୍ତି । ପାଖାପାଖି ୧୦୦ ସଚିବଙ୍କ ସହିତ କିଛି ମନ୍ତ୍ରୀ ମଧ୍ୟ ଏହି ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ପ୍ରଧାନମନ୍ତ୍ରୀଙ୍କ ପ୍ରଧାନସଚିବ ଏବଂ ଅତିରିକ୍ତ ସଚିବ ଓ କ୍ୟାବିନେଟ ସଚିବଙ୍କ ସହିତ ସହିତ ସବୁ ମନ୍ତ୍ରୀ ମାନଙ୍କର ସଚିବ ଏଥିରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଆଜି ସନ୍ଧ୍ୟା ସାଢେ ୬ ଟାରେ ଏହି ବୈଠକ ଅନୁଷ୍ଠିତ ହେବ । ସୂତ୍ରର ଖବର ଅନୁସାରେ ମୋଦି ଏହି ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ଏଜେଣ୍ଡା ବିଷୟରେ ଆଲୋଚନା କରିବା ସହିତ ସଚିବ ମାନଙ୍କ ପରାମର୍ଶ ଲୋଡିବେ ।
ସୂଚନାଯୋଗ୍ୟ ୨୦୧୪ ମସିହାରେ ମୋଦି ପ୍ରଥମ ଥର ପାଇଁ ପ୍ରଧାନ ମନ୍ତ୍ରୀ ହେବା ପରେ ଏମିତି ସଚିବଙ୍କ ସହିତ ବୈଠକ ଡାକିଥିଲେ । ନିୟମିତ ଅନ୍ତରରେ ମୋଦି ବିଭିନ୍ନ ପ୍ରସଙ୍ଗକୁ ନେଇ ସଚିବ ମାନଙ୍କ ସହିତ ଆଲୋଚନା କରି ପରାମର୍ଶ ନେଇଥାନ୍ତି । ସେହିଭଳି ପ୍ରଶାସନିକ ସ୍ଥରରେ ସୁଧାର ଆଣିବା ପାଇଁ ଅତୀତରେ ମୋଦି ବିଭିନ୍ନ ପ୍ରସଙ୍ଗକୁ ନେଇ ଆଠଟି କମିଟି ଗଠନ କରିଥିଲେ ।