ଭୁବନେଶ୍ୱର (ଏଟିଆର ବ୍ୟୁରୋ); ନୂଆ ଫିଲ୍ମରେ ନଜର ଆସିବେ ଓଡିଆ ଅଭିନେତା ଅର୍ଦ୍ଧେନ୍ଦୁ । ପୂର୍ବରୁ ନାୟକ ସାଜି ଦର୍ଶକଙ୍କ ମନ ଜିଣିଥିବା ଅର୍ଦ୍ଧେନ୍ଦୁ ଏବେ ନୂଆ ରୂପରେ ଆସୁଛନ୍ତି । ତାଙ୍କ ବିପକ୍ଷରେ ନାୟିକା ସାଜିବେ ବିଗତ ଦିନର ନାୟିକା ପୁଷ୍ପା ପଣ୍ଡାଙ୍କ ଝିଅ ଅନୁଭା । ଉଭୟ ପ୍ରଥମଥର ଲାଗି ଗୋଟିଏ ଫିଲ୍ମରେ ଅଭିନୟ କରିବା ପାଇଁ ଯାଉଛନ୍ତି । ତେବେ ଏହି ଫିଲ୍ମର ନାମ ରହିଛି ‘ମୁଁ ପରଦେଶୀ ଚଢ଼େଇ’ ।
ଏହି ଫିଲ୍ମରେ ଭେଟେରିଆନ ଆକ୍ଟର ମିହିର ଦାସ,ପୁଷ୍ପା ପଣ୍ଡା,ମନୋଜ ମିଶ୍ରଙ୍କ ଭଳି କଳାକାର ଅଭିନୟ କରିବେ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ମିଳିଛି । ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିବେ କେ.ମୁରଲୀ କ୍ରିଷ୍ଣା । ଓଲିଉଡର ଜଣେ ଜଣା ଶୁଣା ନିର୍ଦ୍ଦେଶକ । ପୂର୍ବରୁ ସେ ରଙ୍ଗିଲା ଟୋକା,ଜଗା ହାତରେ ପଘା,ଗପ ହେଲେ ବି ସତ,ଚଉକା ଛକା ଏବଂ ଅଗସ୍ତ୍ୟ ଭଳି ସୁପରହିଟ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ।
ଅର୍ଦ୍ଧେନ୍ଦୁଙ୍କ ଅଭିନୀତ ପ୍ରଥମ ଓଡ଼ିଆ ସିନେମା ହେଲା ‘କାଉଁରୀ କନ୍ୟା’। ତା’ପରେ ସେ ‘ଅ ଆ ହର୍ଷେଇ’,‘ଟପୋରି’ ଓ ‘ବ୍ଲାକ୍ମେଲ୍’ଭଳି ସିନେମାରେ ନାୟକ ଭୂମିକା ନିଭାଇଥିଲେ। ବ୍ଳାକମେଲ ଫିଲ୍ମକୁ ଦର୍ଶକମାନେ ଭଲ ପ୍ରଂଶସା କରିଥିଲେ । ତେବେ ଏହି ଫିଲ୍ମରେ ମଧ୍ୟ ଦର୍ଶକଙ୍କ ମନକୁ ଜିଣିବା ପାଇଁ ଅର୍ଦ୍ଧେନ୍ଦୁ ଚେଷ୍ଟା ଜାରି ରଖିଥିବା ସେ କହିଛନ୍ତି । ଅନୁଭା ବଜରଙ୍ଗୀ ଫିଲ୍ମରେ ଭଲ ଅଭିନୟ କରିଥିଲେ । ତେବେ ଉଭୟଙ୍କ ଯୋଡି ଦର୍ଶକଙ୍କ ମନ ଜିଣିବ ବୋଲି ଆଶା ରଖିଛନ୍ତି ପ୍ରଯୋଜନା ସଂସ୍ଥା ।