ପାଲଲହଡା (ଏଟିଆର ବ୍ୟୁରୋ); ଯୁବକଙ୍କ ଗଳା କାଟି ଫୋପାଡି ଦେଇ ଚାଲିଗଲେ ଦୁର୍ବୃତ୍ତ । ପାଲଲହଡା ଥାନା ଅନ୍ତର୍ଗତ ମୁକ୍ତାପୁର ରାଧାପୁରସାହିରେ ଘଟିଛି ଏଭଳି ଜଘନ୍ୟକାଣ୍ଡ । ମୃତକ ହେଲେ ଭାଇଗ ନାଏକଙ୍କ ପୁଅ ପ୍ରଶ୍ନ ନାଏକ । ଏହି ଘଟଣା ପରେ ଗାଁରେ ଆତଙ୍କ ଖେଳି ଯାଇଛି । ପୋଲିସ ଖବର ପାିବା ପରେ ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ତନାଘନା ଆରମ୍ଭ କରିଛି ପୋଲିସ ।
ପୋଲିସ ରିପୋର୍ଟ ମୁତାବକ ଗତକାଲି ସଂନ୍ଧ୍ୟାରେ ପ୍ରଶ୍ନ ଗାଁ ପାଖରେ ଥିବା କେନାଲକୁ ଗାଧୋଇବା ପାଇଁ ଯାଇଥିଲେ । କିନ୍ତୁ ଘରକୁ ଫେରିନଥିଲେ । ଆସିବାରେ ବିଳମ୍ବ ହୋଇଥିଲା । ପୁଅ ଫେରିବାକୁ ବିଳମ୍ବ ହେବାରୁ ବିଚଳିତ ହୋଇଥିଲେ ପରିବାର ଲୋକ । ଏହାପରେ ସେମାନେ ଖୋଜିବା ପାଇଁ କେନାଲ ପାଖକୁ ଯାଇଥିଲେ । କିନ୍ତୁ ସେଠାରେ ନପାଇବା ପରେ ନିରାଶ ହୋଇ ଫେରିଥିଲେ ।
ରାତିରେ ଗାଁ ମୁଣ୍ଡରେ ଗଳା କଟା ହୋଇ ପଡିଥିବା ଏକ ମୃତ ଦେହ ଦେଖିଥିଲେ ସ୍ଥାନୀୟ ଲୋକ । ପ୍ରଥମେ ସେମାନେ ଭୟ କରିଯାଇଥିଲେ । ଏହାପରେ ପ୍ରଶ୍ନଙ୍କୁ ଚିହ୍ନିବା ପରେ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକ ଘଟଣାସ୍ଥଳରେ ପହଁଞ୍ଚିବା ସହିତ ପୋଲିସକୁ ମଧ୍ୟ ଖବର ଦେଇଥିଲେ । ପୋଲିସ ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ତେବେ କିଏ ଏବଂ କାହିଁକି ମାରିଛି ତାହା ଜଣା ପଡିନାହିଁ । ପୂର୍ବ ଶତୃତାକୁ କେନ୍ଦ୍ର କରି କେହି ଏମିତି କରିଥାଇପାରେ ବୋଲି ଅନୁମାନ କରାଯାଉଛି । ପୋଲିସର ତଦନ୍ତ ପରେ ସବୁ ସତ ପଦାକୁ ଆସିବ ।