କଟକ (ଏଟିଆର ବ୍ୟୁରୋ); ଆସନ୍ତା ମାସ ୮ ତାରିଖରୁ ମେଟ୍ରିକ ସପ୍ଳିମେଣ୍ଟାରୀ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ଜୁଲାଇ ୮ରୁ ଆରମ୍ଭ ହୋଇ ଜୁଲାଇ ୧୪ ପର୍ୟ୍ୟନ୍ତ ଚାଲିବ ପରୀକ୍ଷା । ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଜୁଲାଇ ୧୬ରୁ ଆରମ୍ଭ ହେବ । ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ଦିନ ୧୧ଟା ୩୦ ମିନିଟ୍ରେ ଶେଷ ହେବ । ପରୀକ୍ଷା ନେଇ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି । ଏନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ସମ୍ପାଦକ ରାମାଶିଷ ହାଜରା ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ମେ’ ୨୧ ତାରିଖରେ ମ୍ୟାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ଚଳିତ ବର୍ଷ ୫ ଲକ୍ଷ ୬୨ ହଜାର ୨୧୩ ପିଲା ପରୀକ୍ଷା ଦେଇଥିଲେ। ଏଥିରେ ୩ ଲକ୍ଷ ୯୭ ହଜାର ୧୨୫ ଛାତ୍ରଛାତ୍ରୀ ପାସ୍ କରିଥିଲେ। ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୫ ହଜାର ୪୭୦ ଛାତ୍ରୀ ଓ ୧ ଲକ୍ଷ ୯୧ ହଜାର ୬୫୫ ଜଣ ଛାତ୍ର ପାସ୍ କରିଥିଲେ। ଚଳିତ ବର୍ଷ ପାସ୍ ହାର ୭୦.୭୮ % ଥିଲା। ଗତ ବର୍ଷ ତୁଳନାରେ ଏଥର କମ୍ ସଂଖ୍ୟକ ଛାତ୍ରଛାତ୍ରୀ ପାସ୍ କରିଥିଲେ। ୨୮୯ଟି ହାଇସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଥିଲା।
ଚଳିତ ବର୍ଷ ମେଟ୍ରିକ ପରୀକ୍ଷା ଆରମ୍ଭରୁ ବିଭ୍ରାଟ ଦେଖା ଦେଇଥିଲା । ପରୀକ୍ଷା ଆରମ୍ଭ ଦିନରୁ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା । ପ୍ରଶ୍ନପତ୍ର ଲିକକୁ ବନ୍ଦ କରିବା ପାଇଁ ଚେଷ୍ଠା କରିଥିଲେ ମଧ୍ୟ ଶେଷ ପର୍ଯ୍ୟନ୍ତ ବିଫଳ ହୋଇଥିଲା ବୋର୍ଡ । ତେବେ ଖାତା ଦେଖାରେ କୌଣସି ଅନିୟମିତା ହୋଇନଥିଲା । ଚଳିତ ବର୍ଷ ବାତ୍ୟା ଏବଂ ନିର୍ବାଚନ ପାଇଁ ବିଳମ୍ବରେ ପ୍ରକାଶ ପାଇଥିଲା ରେଜଲ୍ଟ ।