ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ରାତି ଅଧିଆ ଏନକାଉଣ୍ଟର । କମିଶନରେଟ ପୁଲିସ ଦୁଇ ଜଣ ଦୁର୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର କରିଛି । ବିଳମ୍ବିତ ରାତିରେ କୁଆଖାଇ ଓଭରବ୍ରିଜ ପାଖ ୱାଲମି କାର୍ଯ୍ୟାଳୟ ନିକଟରେ ଏହି ଘଟଣା ଘଟିଛି । ପୁଲିସ ଗୁଳିରେ ଆହତ ହୋଇଥିବା ଅଭିଯୁକ୍ତମାନେ ହେଲେ କଟକର ମନୋଜ ମହାରଣା ଓରଫ ମାଣ୍ଡି ଓ ଗଞ୍ଜାମର ସୁଧାକର ପାତ୍ର ଓରଫ ଲିପୁ ।
ଏମାନଙ୍କ ପାଖରୁୁ ୨ଟି ପିସ୍ତଲ ସହ ୧୫ଟି ଅଫୁଟା ଗୁଳି ଜବତ ହୋଇଛି । କେବଳ ଏତିକି ନୁହେଁ ୧୨ଟି ମୋବାଇଲ ଫୋନ ଓ ନଗଦ ୬ହଜାର ଟଙ୍କା ମଧ୍ୟ ଜବତ ହୋଇଥିବା ପୁଲିସ ସୂଚନା ଦେଇଛି । ଦୁଇ ଜଣକ ନାଁରେ ଜଗତସିଂହପୁର, କଟକ, ଯାଜପୁର, ଭୁବନେଶ୍ୱର ଓ ବ୍ରହ୍ମପୁର ଜିଲ୍ଲାର ଥାନାଗୁଡିକରେ ୧୫ରୁ ଅଧିକ ମାମଲା ଥିବା ପୁଲିସ କହିଛି ।
ପୁଲିସ ରିପୋର୍ଟ ଅନୁସାରେ, ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ଏକାଧିକ ଅପରାଧ ମାମଲା ରହିଛି । ତେବେ ଏମାନଙ୍କୁ ଧରିବା ଲାଗି ସୂଚନା ପାଇ ପୁଲିସ ରାତି ଅଧିଆ ଛାପା ମାରିଥିଲା । ସେତେବେଳକୁ ରାତି ୩ଟା ହେବ । ପୁଲିସକୁ ଦେଖି ଏମାନେ ଅଚାନକ ଗୁଳି ଚଳାଇଥିଲେ । ପୁଲିସ ବି ପାଲଟା ଗୁଳି ଚଳାଇଥିଲା । ପୁଲିସ ଗୁଳିରେ ଅଭିଯୁକ୍ତ ଦ୍ୱୟ ଆହତ ହୋଇଥିଲେ । ସେମାନଙ୍କୁ କଟକ ମେଡିକାଲରେ ଭର୍ତି କରାଯାଇଛି । ତଦନ୍ତ ଜାରି ରହିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି ।