ବଲାଙ୍ଗୀର (ଏଟିଆର ବ୍ୟୁରୋ); ପୂର୍ତ୍ତ ବିଭାଗ ଯନ୍ତ୍ରୀଙ୍କୁ ବସ ଉଠ କରାଇଥିବା ପାଟଣାଗଡ ବିଧାୟକଙ୍କ ଗିରଫ ପ୍ରତିବାଦ ଧିରେ ଧିରେ ତିବ୍ର ହେବାରେ ଲାଗିଛି । ଥାନାରେ ଏତଲା ଦେବାର ବହୁଦିନ ବିତି ଯାଇଥିଲେ ସୁଦ୍ଧା ଗିରଫ କରାଯାଇ ନାହିଁ । ଏଣୁ ବଲାଙ୍ଗୀର ଜିଲ୍ଲା ଆଦିବାସୀ ସଂଘ ପକ୍ଷରୁ ଆସନ୍ତା କାଲିଠାରୁ ଆରମ୍ଭ ହେବ ଆନ୍ଦୋଳନ । ଆଜି ଆଦିବାସୀ ସଂଘର ସଭାପତି ବ୍ରଜକିଶୋର ସିଂଭୋଇ ଏହି ସୂଚନା ଦେଇଛନ୍ତି ।
ଆସନ୍ତା କାଲି ବଲାଙ୍ଗୀର ଜିଲ୍ଲାର ସବୁ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବ ସଂଘ । ଏବଂ ୨୧ ତାରିଖରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦିଆଯିବ ଧାରଣା । ତେବେ ଉପଜିଲ୍ଲାପାଳ ଯଦି କିଛି ପଦକ୍ଷେପ ନନିଅନ୍ତି ତେବେ ସଂଘ ଆସନ୍ତା ୨୬ ତାରିଖରେ ବିଧାନସଭା ଘେରାଉ କରିବ । ବିଧାୟକଙ୍କ ଗିରଫ ପାଇଁ ଡିପ୍ଳୋମା ଇଜିଂନିର ସଂଘ ମଧ୍ୟ ପୂର୍ବରୁ ଦାବି କରିଥିଲେ । ସରକାରୀ ଦଳର ବିଧାୟକ ହୋଇଥିବାରୁ ପୋଲିସ କୌଣସି ପଦକ୍ଷେପ ନେଉ ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
ସୂଚନାଯୋଗ୍ୟ,ରାସ୍ତା କାମରେ ଅନିୟମିତତା ହୋଇଥିବାରୁ ବିଧାୟକ ସମସ୍ତଙ୍କ ସାମନାରେ ଜେଇ ଜୟକାନ୍ତ ଶବରଙ୍କୁ ୧୦୦ଥର ବସ ଉଠ କରାଇଥିଲେ । ଜେଇଙ୍କ ସ୍ତ୍ରୀ ଥାନାରେ ଏତଲା ଦେଇଥିଲେ । ଜାତିକୁ ନେଇ ଆକ୍ଷେପ କରିଥିବା ଏବଂ ମାଡ ମାରିଥିବା ଅଭିଯୋଗ ମଧ୍ୟ ହୋଇଥିଲା । ପୋଲିସ ପଦକ୍ଷେପ ନେଇ ନଥିବାରୁ ଗତ ୧୨ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ ଆଦିବାସୀ ସଂଘ ।