ମାଞ୍ଚେଷ୍ଟର (ଏଟିଆର ବ୍ୟୁରୋ); ବିଶ୍ୱକପ ପଏଣ୍ଟ ଟେବୁଲରେ ଉପରକୁ ଉଠିଲା ନ୍ୟୁଜିଲାଣ୍ଡ । ଗତକାଲି ୱେଷ୍ଟ ଇଣ୍ଡିଜକୁ ୫ ରନରେ ହରାଇ ପଏଣ୍ଟ ଟେବୁଲରେ ଏକ ନମ୍ବର ସ୍ଥାନକୁ ଉଠିଛି ନ୍ୟୁଜିଲାଣ୍ଡ । କେନ ୱିଲିୟମସନଙ୍କ ଶତକୀୟ ପାଳି ପାଇଁ ତାଙ୍କୁ ପ୍ଳେୟାର ଅଫ ଦି ମ୍ୟାଚ ବିବେଚିତ କରାଯାଇଛି । ନ୍ୟୁଜିଲାଣ୍ଡ ଚଳିତ ବିଶ୍ୱକପରେ ୬ଟି ମ୍ୟାଚରୁ ୫ଟି ବିଜୟ ହୋଇଛି । ଅପରପକ୍ଷରେ ୱେଷ୍ଟ ଇଣ୍ଡିଜ ବିଶ୍ୱକପରେ ପଞ୍ଚମ ପରାଜୟ ବରଣ କରିଛି ।
ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭର ମଧ୍ୟରେ ୮ ୱିକେଟ ହରାଇ ୨୯୧ ରନ କରିବାରେ ସକ୍ଷମ ହୋଇଥିଲା । ଦଳର ଅଧିନାୟକଙ୍କ ଶତକ ଏବଂ ରସ ଟେଲରଙ୍କ ଅର୍ଦ୍ଧ ଶତକ ଦଳର ସ୍କୋରକୁ ବଢ଼ାଇଥିଲା । ଦଳର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ୦ରେ ଆଉଟ ହୋଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ୱିଲିୟମସନଙ୍କ ୧୪୮ ରନ ଏବଂ ଟେଲରଙ୍କ ୬୯ ଦଳର ସମ୍ମାନ ବଞ୍ଚାଇଥିଲା ।
୨୯୨ ରନର ବିଜୟ ଲକ୍ଷ୍ୟକୁ ପାର କରିବା ପାଇଁ ୱେଷ୍ଟ ଇଣ୍ଡିଜ ଲାଗି ପଡିଥିଲା । କ୍ରିସ୍ ଗେଲ (୮୭, ୮୪ ବଲ୍, ୮ ଚୌକା, ୬ ଛକା), ସିମରନ୍ ହେଟମେୟର (୫୪, ୪୫ ବଲ୍, ୮ ଚୌକା, ୧ ଛକା)ଙ୍କ ଅର୍ଧଶତକ ଏବଂ କାର୍ଲୋସ୍ ବ୍ରାଥ୍ୱେଟ୍ (୧୦୧, ୮୨ ବଲ, ୯ ଚୌକା, ୫ ଛକା)ଙ୍କ ଶତକ ବଳରେ ଇଣ୍ଡିଜ୍ ୪୯ ଓଭରରେ ସମସ୍ତ ୱିକେଟ୍ ହରାଇ ୨୮୬ ରନ୍ କରିଥିଲା।