ଭୁବନେଶ୍ୱର (ଏଟିଆର ବ୍ୟୁରୋ); ବିରୋଧୀ ଦଳ ନେତା ଚୟନକୁ ନେଇ ଆଜି ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଚଳିତ ନିର୍ବାଚନରେ ଦଳ ମୁଖ୍ୟ ବିରୋଧୀ ଦଳ ଭାବରେ ଉଭା ହୋଇଛି । କଂଗ୍ରେସଠାରୁ ଅଧିକ ଆସନରେ ଜିତିଛି ବିଜେପି । ତେବେ ଆସନ୍ତା ୨୫ରୁ ଷୋଡଶ ବିଧାନସଭା ବୈଠକ ବସିବ । ଏଣୁ ବିରୋଧୀ ଦଳ ନେତା ବାଛିବା ପାଇଁ ଆଜି ଦଳ ବୈଠକ ଡକାଇଛି ।
ଆଜିର ବୈଠକରେ ବିଜେପି କେନ୍ଦ୍ରୀୟ ସାଧାରଣ ସମ୍ପାଦିକା ସରୋଜା ପାଣ୍ଡେ ଯୋଗ ଦେବେ । କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଏବଂ ଓଡିଶା ବିଜେପି ପ୍ରଭାରୀ ଅରୁଣ ସିଂହ ପ୍ରମୁଖ ଉପସ୍ଥିତ ରହିବେ । ଦଳର ସର୍ବ ସମ୍ମତି କ୍ରମେ ବଛାଯିବ ବିରୋଧୀ ଦଳ ନେତା । ତେବେ ଏହି ରେସରେ ଆଗରେ ରହିଛନ୍ତି ସମ୍ବଲପୁର ବିଧାୟକ ତଥା ବିଜେପିର ତୁଙ୍ଗ ନେତା ଜୟନାରାୟଣ ମିଶ୍ର ଏବଂ ଭବାନୀପାଟଣା ବିଧାୟକ ପ୍ରଦୀପ୍ତ ନାଏକ । କିନ୍ତୁ ଏହି ଦୁଇ ଜଣଙ୍କ ମଧ୍ୟରୁ ଜୟନାରାୟଣଙ୍କ ପଲ୍ଲା ଭାରି ରହିଛି । ଦଳର ଅଧିକାଂଶ ତାଙ୍କୁ ସମର୍ଥନ କରୁଥିବା ଶୁଣିବାକୁ ମିଳୁଛି ।
ଚଳିତ ନିର୍ବାଚନରେ ବିଜେପି ୨୩ଟି ଆସନରେ ଜିତିଛି । ୨୦୧୪ ନିର୍ବାଚନ ତୁଳନାରେ ଅଧିକ ଆସନରେ ଜିତିଛି ଦଳ । କଂଗ୍ରେସ ହାତରୁ ମୁଖ୍ୟ ବିରୋଧୀ ଦଳ ଆସନ ଛଡାଇ ଆଣିବାରେ ସଫଳ ହୋଇଛି ବିଜେପି । ତେବେ ପ୍ରଥମଥର ଲାଗି ମୁଖ୍ୟ ବିରୋଧୀ ହୋଇ ସରକାରଙ୍କ ଭୁଲକୁ ଲୋକ ଲୋଚନକୁ ଅଶରିବା ସହିତ ବିଧାନସଭାରେ ପ୍ରତିବାଦ କରିବାର ଲକ୍ଷ୍ୟ ରଖିଛି ବିଜେପି ।