ଲଣ୍ଡନ (ଏଟିଆର ବ୍ୟୁରୋ); ନିଜେ ଗଲାନି । ଅନ୍ୟକୁ ବି ଯିବାକୁ ଦେଲାନି । ଚଳିତ ବିଶ୍ୱକପରେ ସେମିଫାଇନାଲ ଦୌଡରୁ ଦକ୍ଷିଣ ଆଫ୍ରିକା ବାଦ ପଡିଛି । ତେବେ ସେମି ଆଶାରେ ଥିବା ଶ୍ରୀଲଙ୍କାକୁ ଗତକାଲି ହରାଇବା ପରେ ଶ୍ରୀଲଙ୍କାର ସବୁ ଆଶା ମାଟିରେ ମିଶିଯାଇଛି । ତେବେ ଦକ୍ଷିଣ ଆଫ୍ରିକା ଗତକାଲି ଶ୍ରୀଲଙ୍କାକୁ ୯ ୱିକେଟରେ ଶୋଚନୀୟ ପରାସ୍ତ କରିଛି । ଚଳିତ ବିଶ୍ୱକପରେ ଦକ୍ଷିଣ ଆଫ୍ରିକାର ଏହା ଦ୍ୱିତୀୟ ବିଜୟ ।
ଶ୍ରୀଲଙ୍କାର ଏହା ସପ୍ତମ ମ୍ୟାଚ୍ରୁ ତୃତୀୟ ପରାଜୟ। କିନ୍ତୁ ଦଳ ୬ ପଏଣ୍ଟ ପାଇଥିବାରୁ ସମ୍ପୂର୍ଣ୍ଣ ବାଦ୍ ପଡ଼ିନାହିଁ। ଚେଷ୍ଟର ଲି ଷ୍ଟ୍ରିଟ୍ର ରିଭର୍ ସାଇଡ୍ ପଡିଆରେ ଖେଳାଯାଇଥିବା ଶୁକ୍ରବାର ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଟସ୍ ଜିତି କ୍ଷେତ୍ରରକ୍ଷଣ କରିଥିଲା।ଶ୍ରୀଲଙ୍କା ୨୦୩ ରନ୍ କରି ୩ ବଲ୍ ପୂର୍ବରୁ ସମସ୍ତ ୱିକେଟ୍ ହରାଇଥିଲା। ଦକ୍ଷିଣ ଆଫ୍ରିକା ପକ୍ଷରୁ ଡ୍ବାନ୍ ପ୍ରିଟୋରିୟସ୍-କ୍ରିସ୍ ମୋରିସ୍ ୩-୩, କାଗିସୋ ରାବାଦା ୨ ୱିକେଟ୍ ନେଇଥିଲେ। ଆନ୍ଦିଲ ଫେଲୁକ୍ବାୟୋ ଏବଂ ଜେପି ଡୁମିନି ଗୋଟିଏ ଲେଖାଏଁ ସଫଳତା ପାଇଥିଲେ।
ଏହି ସହଜ ଲକ୍ଷ୍ୟର ପିଛା କରିବା ଦକ୍ଷିଣ ଆଫ୍ରିକା ପାଇଁ ଆଦୌ କଷ୍ଟକର ହୋଇନଥିଲା। ଟିମ୍ ପକ୍ଷରୁ ଓପ୍ନର ହାଶିମ୍ ଆମଲା ଓ ଅଧିନାୟକ ଫାଫ୍ ଡ୍ୟୁପ୍ଲେସିସ୍ ଦମଦାର ବ୍ୟାଟିଂ କରି ଶେଷ ପର୍ୟ୍ୟନ୍ତ ଅପରାଜିତ ରହିଥିଲେ। ଦୁହେଁ ଦ୍ୱିତୀୟ ୱିକେଟ୍ ପାଇଁ ୧୭୫ ରନର ଶତକୀୟ ଭାଗୀଦାରୀ କରି ଟିମକୁ ଜିତାଇଛନ୍ତି। ଡ୍ୟୁପ୍ଲେସିସ୍ ୧୦୩ ବଲରେ ୧୦ ଚୌକା ଓ ୧ ଛକା ସହ ୯୬ ଓ ଆମଲା ୧୦୫ ବଲରେ ୫ ଚୌକା ସହ ୮୦ ରନ୍ କରି ଅପରାଜିତ ଥିଲେ। ଦକ୍ଷିଣ ଆଫ୍ରିକାର ଏକମାତ୍ର ୱିକେଟ୍ ଭାବେ କ୍ୱିଣ୍ଟନ୍ ଡି’କକ୍ (୧୫) ପ୍ୟାଭିଲିୟନ୍ ଫେରିଥିଲେ । ତାଙ୍କୁ ଲସିଥ୍ ମାଲିଙ୍ଗା କ୍ଲିନ୍ ବୋଲ୍ଡ କରିଥିଲେ।