ଚେନ୍ନାଇ (ଏଟିଆର ବ୍ୟୁରୋ) ; ଆସନ୍ତା କାଲି ଭାରତ ୱେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ଟି-୨୦ ମ୍ୟାଚ ଚେନ୍ନାଇରେ ଆୟୋଜିତ ହେବ । ତେବେ ଦଳରୁ ୩ ଜଣ ବରିଷ୍ଟ ବୋଲରଙ୍କୁ ବିଶ୍ରାମ ଦେବା ପରେ ସମସ୍ତଙ୍କ ନଜର ଥିଲା ଏହି ଖେଳାଳିଙ୍କ ସ୍ଥାନରେ କିଏ ଖେଳିବ । ତେବେ ହାତୀ ସୁନା କଳସ ଢ଼ାଳିଲା ଭଳି ଜଣେ ନୂଆ ଖେଳାଳି ଦଳରେ ଡେବ୍ୟୁ କରିବା ପାଇଁ ଦଳ ପକ୍ଷରୁ ସୂଚନା ମିଳିଛି । ତେବେ ସେ ଆଉ କେହି ନୁହେଁ ସେ ହେଉଛନ୍ତି ଝାଡଖଣ୍ଡୀ ସ୍ପିନର ଶାହାବାଦ ନଦିମ । ପ୍ରଥମ ଥର ପାଇଁ ଦଳରେ ଜାଗା ପାଇଥିବାରୁ ପରିବାରରେ ଖୁସିର ଲହରୀ ଖେଳିଯାଇଛି । ତେବେ ଦଳରେ ସାମିଲ ହେବା ପରେ ଏହି ସଫଳତା ପାଇଁ ବାପା-ମା,ପତ୍ନୀ ଏବଂ ଝାଡଖଣ୍ଡ କ୍ରିକେଟ ଆସୋସିଏସନକୁ ଶ୍ରେୟ ଦେଇଛନ୍ତି ନଦିମ । ନଦିମ ଇଣ୍ଡିଆନ ପ୍ରିମିୟର ଲିଗରେ ଦିଲ୍ଲୀ ଡେୟାର ଡେଭିଲ୍ସ ପକ୍ଷରୁ ଖେଳି ଭଲ ରେକର୍ଡ ରହିଛି ।
ଅଷ୍ଟ୍ରେଲିଆ ଗସ୍ତକୁ ଦୃଷ୍ଟିରେ ରଖି ଦଳର ୩ ଜଣ ନିର୍ଭର ଯୋଗ୍ୟ ଖେଳାଳି ତଥା ଯଶପ୍ରିତ ବୁମରା,କୁଳଦୀପ ଯାଦବ ଏବଂ ଉମେଶ ଯାଦବଙ୍କୁ ବିଶ୍ରାମ ଦିଆଯାଇଛି । ଏଣୁ ଦଳରେ ନଦିମଙ୍କୁ ସ୍ଥାନ ମିଳିଛି । ତେବେ ୩ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨-୦ରେ ଆଗୁଆ ଅଛି । ଏହି ସବୁ କାରଣ ପାଇଁ ଦଳରେ ନୂଆ ଖେଳାଳିଙ୍କୁ ସୁଯୋଗ ଦିଆଯାଉଥିବା କହିଛନ୍ତି ଦଳର ଅଧିନାୟକ ରୋହିତ ଶର୍ମା । ତେବେ ଏବେ ନଜର ଅନ୍ତିମ ମ୍ୟାଚ ଉପରେ । ଏବଂ ନୂଆ ଖେଳାଳିଙ୍କ ଖେଳ ଉପରେ ।