ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଏବର୍ଷ ଖଣ୍ଡଗିରିରେ ଶୁଭିବନି ସେହି ଛାତିଥରା ସଂଳାପ! କି ନାଟକ ଦେଖି ଝରି ବସି ଆଖିରୁ ଲୁହ! ୫୬ ବର୍ଷ ଧରି ଖଣ୍ଡଗିରିରେ ରହିଥିବା ଯାତ୍ରା ପରମ୍ପରା ଏବର୍ଷ ବନ୍ଦ ହୋଇ ଯାଇପାରେ । ଦରଦାମ ବୃଦ୍ଧି ଯୋଗୁ ବ୍ୟବସାୟ ପ୍ରଭାବିତ ହେଉଥିବାରୁ ଯାତ୍ରା ପରିବେଶଣ କରୁଥିବା କମିଟି ମାନେ ଏମିତି ଏକ ନିଷ୍ପତ୍ତି ନେଇଥିବା ଜଣାପଡିଛି । ଯାତ୍ରାଦଳ ମାନଙ୍କର ରାତି ପିଛା ଅହେତୁକ ଦର ବୃଦ୍ଧି ଏବଂ ବିଏମସିର କର ବୃଦ୍ଧି ଯୋଗୁ କମିଟି ମାନେ ଏଭଳି ନିଷ୍ପତ୍ତି ନେଇଛନ୍ତି ।
ଯାତ୍ରାଦଳ ମାନେ ଆସନ୍ତା ବର୍ଷ ରାତି ପିଛା ଅଢେଇ ଲକ୍ଷ ଟଙ୍କା ଦାବି କରୁଛନ୍ତି । ଏମିତିରେ ୧୦୦, ୧୫୦ ଓ ୨୦୦ ଟଙ୍କା ରେ ପ୍ରେକ୍ଷାଳୟ ଫାଙ୍କା ପଡୁଥିବା ବେଳେ ପୁଣି ଟିକଟରେ ବୃଦ୍ଧି କରିବା ସମ୍ଭବ ହେଉନି ବୋଲି କମିଟି ସୂଚନା ଦେଇଛି । କେବଳ ଯାତ୍ରା ଦଳ ମାନଙ୍କର ରାତି ପିଛା ଦର ବୃଦ୍ଧି ନୁହେଁ ବରଂ ବିଏମସି ମଧ୍ୟ ଏଥି ପାଇଁ ଦାୟୀ ।
ବିଏମସି ଗତ ୨୦୧୮ ମସିହାରେ ରାତି ପାଇଁ ଗୋଟିଏ ଅନୁଷ୍ଠାନ ପାଖରୁ ୫ ହଜାର ଟଙ୍କା ନେଉଥିଲା ପରେ ପୁଣି ୨୦୧୯ ରେ ଏହାକୁ ୭ ହଜାର ଟଙ୍କାକୁ ବୃଦ୍ଧି କରାଗଲା । ମାତ୍ର ଯାତ୍ରା ସମୟରେ ସ୍ୱଚ୍ଛତା ଓ ଶୌଚଳୟ ବ୍ୟବସ୍ଥା ଠିକଠାକ କରି ନଥିଲା ବୋଲି କମିଟି ଅଭିଯୋଗ କରୁଛି । ତେବେ ଏହି ସବୁ କାରଣ ପାଇଁ ଆସନ୍ତା ବର୍ଷ କମିଟି ମାନେ ଯାତ୍ରା ନ କରିବା ପାଇଁ ଚିନ୍ତା କରୁଥିବା ଜଣାପଡିଛି ।