କଟକ (ଏଟିଆର ବ୍ୟୁରୋ); ସୋମବାର ପୂର୍ବାହ୍ନରେ କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ରାସ୍ତା କଡରେ ଛିଡା ହୋଇଥିବା ଏକ ଟ୍ରକ ପଛପଟେ ପିଟିହେଲା କାର । ଏହି ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳ ୩ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କ ଘର ଯାଜପୁର ବୋଲି ଜଣା ପଡିଛି । ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି । ଆହତଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି ।
ଆଜି ଯାଜପୁରରୁ ୫ଜଣ ଏକ ମାରୁତି ସିଆଜରେ ଭୁବନେଶ୍ୱର ଆସୁଥିଲେ । ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ଥାନା ଅଞ୍ଚଳରେ ରାସ୍ତା କଡରେ ଛିଡା ହୋଇଥିବା ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା କାର । କାରର ସ୍ପିଡ ଏତେ ଜୋର ଥିଲା କି ଘଟଣାସ୍ଥଳରେ କାର ଡ୍ରାଇଭର ଏବଂ ଆଗରେ ବସିଥିବା ଜଣେ ଯୁବକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା ।
ସ୍ଥାନୀୟ ଲୋକ ପ୍ରଥମେ ସେମାନଙ୍କୁ ଆହତଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ବିଫଳ ହୋଇଥିଲେ । ସେମାନେ ପୋଲିସ ଏବଂ ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀ ଆସି ଗ୍ୟାସ କଟରରେ କାଟି ସମସ୍ତଙ୍କୁ ଉଦ୍ଧାର କରିଥିଲେ । ଆହତ ୩ଜଣଙ୍କୁ ସଙ୍ଗେ ସଙ୍ଗେ ମେଡିକାଲରେ ଭର୍ତ୍ତି କରିଥିଲେ ଅଗ୍ନିଶମ କର୍ମଚାରୀ । କାରର ସାମନା ପଟ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇ ଯାଇଛି । ଟ୍ରକଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।