ପୁରୀ (ଏଟିଆର ବ୍ୟୁରୋ); ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ସୁନା କୂଅରୁ ୧୦୮ ଗରା ସୁବାଷିତ ଜଳରେ ଗାଧୋଇବା ପରେ ଜ୍ୱରରେ ପଡିଥିଲେ ଚତୁର୍ଦ୍ଧା ମୁରତି । ଦୀର୍ଘ ୧୫ଦିନର ଅଣସର ଘରେ ମହାପ୍ରଭୂଙ୍କ ଗୁପ୍ତ ସେବା ଚାଲିଥିଲେ । ଏବେ ସୁସ୍ଥ ହୋଇଛନ୍ତି ମହାପ୍ରଭୂ । ଆଜି ବିଳମ୍ୱିତ ରାତିରେ ମହାପ୍ରଭୁଙ୍କ ବନକଲାଗି ନୀତି ସରିବା ପରେ ମହାପ୍ରଭୁ ନବଯୌବନ ପ୍ରାପ୍ତ ହୋଇଛନ୍ତି। ଦତ୍ତ ମହାପାତ୍ର ସେବକମାନେ ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର କରିଛନ୍ତି। କସ୍ତୁରୀ, କେଶର, ହରିତାଳ, ହିଂଗୁଳ ଆଦିର ମିଶ୍ରଣକୁ ଶ୍ରୀଅଙ୍ଗରେ ଲାଗି କରାଯାଇଛି।
ଏଥିପାଇଁ ପୂର୍ବରୁ ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗରେ ଲାଗି ହେବା ପାଇଁ ଶ୍ରୀମନ୍ଦିରକୁ ଖଡ଼ି ପ୍ରସାଦ ବିଜେ ହୋଇଥିଲା। ଶ୍ରୀଅଙ୍ଗରେ ଶ୍ରୀମୁଖ ହୋତା ଲାଗି ହେବା ପରେ ଏହା ଉପରେ ଖଡ଼ିପ୍ରସାଦ ଲାଗି କରାଯାଇଥିଲା। ବିଳମ୍ୱିତ ରାତିରେ ବଡଦେଉଳକୁ ଖଡି ବିଜେ ହେବା ପରେ ଶ୍ରୀମୁଖ ଶୃଙ୍ଗାର ଶୁଭାରମ୍ଭ ହୋଇଥିଲା।ଏହି ଅନନ୍ୟ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ।
ଦିନ ୯ଟାରୁ ୧୨ଟା ମଧ୍ୟରେ ଦତ୍ତ ମହାପାତ୍ର ସେବକମାନେ ପ୍ରାକୃତିକ ରଙ୍ଗରେ ଶ୍ରୀମୁଖ ଶୃଙ୍ଗାର କରିବେ। ଏହାପରେ ନବଯୌବନ ବେଶରେ ଦର୍ଶନ ଦେବେ ମହାପ୍ରଭୁ। ଆଜି ଅପରାହ୍ନ ୨ଟା ୩୦ରୁ ୩ଟା ୩୦ ଯାଏ ଭିତରକାଠ ପାଖରୁ ପରମାଣିକ ଦର୍ଶନ ଓ ୩ଟା ୩୦ରୁ ୪ଟା ୩୦ ପର୍ୟ୍ୟନ୍ତ ସର୍ବସାଧାରଣ ଦର୍ଶନ ହେବ।ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।