କଟକ (ଏଟିଆର ବ୍ୟୁରୋ); ଆଉ ଦୁଇ ଦିନ ବଢ଼ିଲା ଯୁକ୍ତ ଦୁଇ ନାମଲେଖା ଅବଧି । ପ୍ରଥମ ପର୍ଯ୍ୟାୟରେ ପ୍ରକାଶ ପାଇଥିବା ମେରିଟ ଲିଷ୍ଟର ଛାତ୍ର ଛାତ୍ରୀଙ୍କ ପାଇଁ ୬ ତାରିଖ ପର୍ଯ୍ୟନ୍ତ ନାମଲେଖା ଅବଧି ଥିଲା । କିନ୍ତୁ ଏବେ ଏହାକୁ ଆଉ ଦୁଇ ଦିନ ବଢ଼ାଯାଇଛି । ଫଳରେ ଛାତ୍ର ଛାତ୍ରୀମାନେ ୮ ତାରିଖ ପର୍ଯ୍ୟନ୍ତ ନାମଲେଖାଇ ପାରିବେ । ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଘୋଷଣା କରିଛନ୍ତି ।
ଆଗରୁ ଜୁଲାଇ ୩ ତାରିଖରୁ ୬ ତାରିଖ ଯାଏ ନାମଲେଖା ଧାର୍ଯ୍ୟ ହୋଇଥିଲା, ଯାହା ଆଜି ସରୁଥିଲା। ତେବେ ସର୍ଭରଜନିତ ତ୍ରୁଟି ପାଇଁ ଏହି ଅବଧିକୁ ଆହୁରି ୨ ଦିନ ବଢ଼ାଇ ଦେଇଛି ଗଣଶିକ୍ଷା ବିଭାଗ।ତେବେ ୭ ତାରିଖ ରବିବାର ପଡୁଥିବାରୁ ୮ ଓ ୯ ତାରିଖରେ ଛାତ୍ରଛାତ୍ରୀ ନାମ ଲେଖାଇ ପାରିବେ ବୋଲି କୁହାଯାଇଛି।
ଜୁଲାଇ ୯ ତାରିଖ ଅପରାହ୍ଣ ୫ଟାରେ ନାମଲେଖା ସମ୍ପର୍କିତ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ଜୁଲାଇ ୧୩ରେ ଦ୍ବିତୀୟ ପର୍ୟ୍ୟାୟ ମେରିଟ୍ ଲିଷ୍ଟ ତଥା କଟ୍ ଅଫ୍ ମାର୍କ ତାଲିକା ପ୍ରକାଶ ପାଇବ। ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ଜୁଲାଇ ୧୫ରୁ ୧୭ମଧ୍ୟରେ ଅନୁଷ୍ଠିତ ହେବ। ୧୭ ତାରିଖରେ ନାମଲେଖା ସମ୍ପର୍କିତ ଚୂଡ଼ାନ୍ତ ତଥ୍ୟ ଇ-ସ୍ପେସ୍ରେ ବାହାରିବ। ଜୁଲାଇ ୨୦ରେ ସ୍ପଟ୍ ସିଲେକ୍ସନ ମେରିଟ୍ ଲିଷ୍ଟ ପ୍ରକାଶ ପାଇବା ସହ ୨୫ରୁ ୨୭ ତାରିଖ ମଧ୍ୟରେ ନାମଲେଖା କରାଯିବ। ଜୁଲାଇ ୨୯ରୁ ଯୁକ୍ତ୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି।