କେନ୍ଦ୍ରାପଡା ( ଏଟିଆର ବ୍ୟୁରୋ): କେନ୍ଦ୍ରାପଡା ପାଟକୁରା ନିର୍ବାଚନ ତାରିଖ ଘୋଷଣା ହେବା ପରେ ପୁରା ରାଜ୍ୟ ରାଜନୀତି ସରଗରମ ହୋଇଛି । ପାଟକୁରା ନିର୍ବାଚନ ଏବେ ବିଜେଡି ଓ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ପାଲଟି ଯାଇଛି । ବିଜେଡି ଓ ବିଜେପି ଏକ ହୋଇଥିବା କଂଗ୍ରେସ ଆଣୁଥିବା ଅଭିଯୋଗକୁ ପ୍ରମାଣ କରିବା ପାଇଁ ଉଭୟ ଦଳ ପାଇଁ ଏହା ଏକ ବଡ ସୁଯୋଗ ବୋଲି ବରିଷ୍ଠ ରାଜନୈତିକ ସମୀକ୍ଷକ ମାନେ ମତ ରଖୁଛନ୍ତି ।
ସେହିଭଳି ଉଭୟ ଦଳ ପକ୍ଷରୁ ପାଟକୁରାରେ ଗୋଟେ ପ୍ରକାର ପ୍ରଚାର ମଧ୍ୟ ଆରମ୍ଭ ହୋଇ ଯାଇଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ । ଯେଉଁଥି ପାଇଁ ଏବେ ପାଟକୁରାରେ ଉଭୟ ଦଳର ନେତା ମାନେ ଡେରା ପକାଇଲେଣି । ଲୋକଙ୍କ ଆସ୍ଥା ଜିତିବାକୁ ଦିନ ରାତି ଏକ କରି ଦେଇଥିବା ବରିଷ୍ଠ ନେତା ବିଜୟ ମହାପାତ୍ର ଏଠାରେ ବାଜି ମାରିବା ଅପେକ୍ଷାରେ ରହିଥିବା ବେଳେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ବିଜୟ ମହାପାତ୍ରଙ୍କୁ ମାତ ଦେବା ପାଇଁ ସଜ ହୋଇଛନ୍ତି ।
ଏହି ଅବସରରେ ପାଟକୁରାରେ ଅସନ୍ତୁଷ୍ଟ ନେତାଙ୍କ ସହିତ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଲୋଚନା କରିଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ପାଟକୁରାରେ ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲଙ୍କ ମୃତ୍ୟୁ ପରେ ସେଠାରେ ନିର୍ବାଚନ ବାତିଲ ହୋଇଥିଲା । ପରେ ପୁଣି ବାତ୍ୟା ଫୋନି ପାଇଁ ମଧ୍ୟ ନିର୍ବାଚନ ଘୁଞ୍ଚିଥିଲା । ଆସନ୍ତା ୨୦ ତାରିଖରେ ଏଠାରେ ନିର୍ବାଚନ ଅନୁଷ୍ଠିତ ହେବ ।