ଭୁବନେଶ୍ୱର,(ଏଟିଆର ବ୍ୟୁରୋ): କିଏ ଜାଣିଥିଲା ଦୁଃଖ ଏମିତି ବି ଆସିବ ବୋଲି । ୮ଦିନ ଭିତରେ ଲିଭିଯିବ ମଥାରୁ ସିନ୍ଦୁର । କେତେ ଆଶା ଆଉ କେତେ ସ୍ୱପ୍ନ ନେଇ ବାହା ହୋଇ ଆସିଥିଲେ ନବବଧୂ । ହେଲେ ଦିନ କେଇଟା ବିତିନି, ସବୁ କିଛି ଛାରଖାର ହୋଇଗଲା । ଭାଙ୍ଗିଗଲା ଆଶା, ଧୂଳିସାତ ହୋଇଗଲା ସ୍ୱପ୍ନ । ଦୁର୍ଘଟଣାରେ ସବୁଦିନ ଲାଗି ଆଖି ବୁଜିଲେ ସ୍ୱାମୀ । ଏମିତି ଏକ ଦୁଃଖଦ ଘଟଣା ଘଟିଛି ଢ଼େଙ୍କାନାଳର ଗଁଦିଆ ଥାନା ଅର୍ନ୍ତଗତ ଆମ୍ବପଡା ଅଞ୍ଚଳରେ ।
ଏହି ଘଟଣାକୁ ନେଇ ପୂରା ଅଞ୍ଚଳରେ ଏବେ ଶୋକର ଛାୟା ଖେଳିଯାଇଛି । ଆମ୍ବପଡା ଅଞ୍ଚଳର ନିହାର ରଞ୍ଜନ ବେହେରା ଗତ ୫ ତାରିଖରେ ପୁରୀ ନିମାପଡ଼ାରେ ବିବାହ କରିଥିଲେ । ଖୁସିରେ ପୂରା ଘର ଉଠୁଥିଲା ଆଉ ପଡୁଥିଲା । ହେଲେ ଏହି ଖୁସିରେ କାହାରି ନଜର ଲାଗିଗଲା । ନିହାରଙ୍କ ବାହାଘରର ୬ଦିନ ପରେ ତାଙ୍କ ଭଉଣୀ ଘର ପ୍ରତିଷ୍ଠା ହୋଇଥିଲା । ଯେଉଁଥିରେ ଯୋଗଦେବାକୁ ନିହାରଙ୍କ ବାପା ଯାଇଥିଲେ । ତେବେ ଯିବାପରେ ବାଟରେ ମୋବାଇଲ ଘରେ ଛାଡି ଆସିଥିବା ଜାଣି ପୁଅ ନିହାରଙ୍କୁ ଫୋନ କରି ମଗାଇଥିଲେ ବାପା । ଆଦୌ ବିଳମ୍ବ ନକରି ନିହାର ସ୍କୁଟି ନେଇ ଫୋନ ଦେବା ଲାଗି ବାପାଙ୍କ ପାଖକୁ ଯାଇଥିଲେ । ବାପାଙ୍କୁ ଫୋନ ଦେଇଥିଲେ ସତ କିନ୍ତୁ ସେ ଆଉ ଘରକୁ ଫେରିନଥିଲେ । ଫେରିବା ବାଟରେ ଜମଦଉଡୀରେ ସେ ଛନ୍ଦି ହୋଇପଡିଥିଲେ ।
ପୁଲିସ ରିପୋର୍ଟ ଅନୁସାରେ, ଫେରିବା ବାଟରେ ଗଣେଷଖୋଲା ଛକରେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲେ ନିହାର । ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ଲାଗି ହସପିଟାଲ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ପ୍ରଚାର ହେବା ପରେ ଆମ୍ବପଡା ଗାଁରେ ଶୋକର ଛାୟା ଖେଳିଯାଇଛି । ସେପଟେ ନୂଆକରି ବାହାହୋଇ ଆସିଥିବା ନବବଧୂଙ୍କ ପାଦରୁ ଅଳତା ଆଉ ହାତରୁ ମେହେନ୍ଦି ଶୁଖିନଥିବା ବେଳେ ସିନ୍ଦୁର ଲିଭିଯିବା ଘଟଣାକୁ ସହଜରେ କେହି ବିଶ୍ୱାସ କରି ପାରୁନାହାନ୍ତି । ବିଧାତା ଏତେ ନିଷ୍ଠୁର ହୋଇପାରେ ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମୁହଁରେ ଶୁଣିବାକୁ ମିଳୁଛି ।
Aruna panda
ଭାଗ୍ୟର ବିଡମ୍ବନା କାହା ଡୋର କୌଉ ସମୟରେ କଟିଯିବ ଜଗତର ନାଥ ଜଗନ୍ନାଥଙ୍କୁ ହିଁ ଜଣା ନିଜ ଭାଗ୍ୟକୁ ନିନ୍ଦା କରିବା ଛଡା ଆଉ କିଛିନାହିଁ।