କେନ୍ଦ୍ରାପଡା ( ଏଟିଆର ବ୍ୟୁରୋ): ବହୁ ଚର୍ଚ୍ଚିତ ପାଟକୁରା ବିଧାନସଭା ଭୋଟ ଗଣତି ଆଜି ଆରମ୍ଭ ହୋଇଯାଇଛି । ଯାହାକୁ ନେଇ ଆଜି ପୁରା ରାଜ୍ୟବାସୀ ଉକ୍ରଣ୍ଠାର ସହିତ ଅପେକ୍ଷା କରି ରହିଛନ୍ତି । ବିଜେଡି ଓ ବିଜେପି ଓ କଂଗ୍ରେସ ମଧ୍ୟରେ ହୋଇଥିବା ଏହି ହାଇ ଭୋଲଟେଜ ନିର୍ବାଚନର ଫଳାଫଳକୁ ନେଇ ସମସ୍ତଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଏହି ଅବସରରେ ଆଜି ସକାଳ ୮ ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି । କେନ୍ଦ୍ରାପଡା ଅଟୋନମସ କଲେଜ ପରିସରରେ ଭୋଟ ଗଣତି ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ପୁରା ଅଞ୍ଚଳ ସିସିଟିଭି ନଜରରେ ରହିଥିବା ବେଳେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଭୋଟ ଗଣତି ପାଇଁ ୧୮ଟି ଟେବୁଲ୍ ବ୍ୟବସ୍ଥା କରାଯାଇଛି । ଏଠାକାର ୩୦୯ଟି ବୁଥ୍ ପାଇଁ ୧୭ ରାଉଣ୍ଡ ଗଣତି ହେବ । ପ୍ରତି ଟେବୁଲ୍ ପାଇଁ ମାଇକ୍ରୋ ଅବଜରଭର୍ ଓ ଦୁଇ ଜଣ କାଉଣ୍ଟିଂ ପର୍ସୋନେଲ୍ ରହିବେ ।
ସବୁ ଦଳର ଏଜେଣ୍ଟଙ୍କ ଉପସ୍ଥିତିରେ ହେଉଛି ଭୋଟ୍ ଗଣତି। ୨ ଶହ କର୍ମଚାରୀ ନିଯୁକ୍ତ ହୋଇଛନ୍ତି । ଏଥିପାଇଁ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଛି। ୨ ଜଣ ଆଡିସନାଲ ଏସପି, ୧୨ ଜଣ ଆଇଆଇସି, ୨୦ ଜଣ ସବଇନିସପେକ୍ଟର, ସହ ୧୨ ପ୍ଲାଟୁନ ଫୋର୍ସ ସୁରକ୍ଷାରେ ନିୟୋଜିତ ହୋଇଛନ୍ତି । ଆଜି ଗଣତି ଶେଷ ହେବା ପରେ ଫଳ ପ୍ରକାଶ ପାଇବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ପାଟକୁରାରେ ବିଜେଡି ତାର ସ୍ଥିତି ବଜାୟ ରଖିବ ନାଁ ବିଜୟ ମହାପାତ୍ର ୧୯ ବର୍ଷ ପରେ ପୁଣି ବିଧାନସଭାରେ ପାଦ ରଖିବେ ତାକୁ ନେଇ କର୍ମୀଙ୍କ ମଧ୍ୟରେ ଛାତି ଧଡଧଡ । ସୂଚନାଯୋଗ୍ୟ ଲୋକଙ୍କ ମତରେ ପାଟକୁରା ନିର୍ବାଚନ ମଣ୍ଡଳିରେ ବିଜେଡି ଓ ବିଜେପି ମଧ୍ୟରେ ଲଢେଇ ଜୋରଦାର ହୋଇଛି ।
ଏଥି ମଧ୍ୟରେ ପୂର୍ବତନ ବିଧାୟକ ସ୍ୱର୍ଗତ ବେଦ ପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲ ସ୍ୱାମୀଙ୍କ ନାମରେ ଭୋଟ ପାଇ ଜିତୁଥିବା କୁହା ଯାଉଥିବା ବେଳେ ବିଜୟ ମହାପାତ୍ର ୧୯ ବର୍ଷ ହେବ ବିଧାନସଭାକୁ ଯାଇ ନଥିବାରୁ ଲୋକଙ୍କ ଆସ୍ଥା ବିଜୟଙ୍କ ପ୍ରତି ରହିଥିବା ଚର୍ଚ୍ଚା ହେଉଛି । ଉକ୍ତ ନିର୍ବାଚନର ଫଳାଫଳ ସରକାର ଗଢିବାକୁ ସାହାର୍ୟ୍ୟ ନ କଲେ ମଧ୍ୟ ଏହି ଫଳଫଳ ଉଭୟ ରାଜନୈତିକ ଦଳ ପାଇଁ ସମ୍ମାନର ବିଜୟ ବୋଲି କୁହାଯାଉଚି ।
ଚଳିତ ସାଧାରଣ ନିର୍ବାଚନରେ ବିଜୁ ଜିନତା ଦଳ ୧୧୨ ଟି ସିଟ ବିଜୟ ହୋଇ ଶାସନ ଗାଦିକୁ ଅକ୍ତିଆର କରିଥିଲେ ମଧ୍ୟ ପାଟକୁରା ନିର୍ବାଚନ ପାଇଁ ଜିଜାନ ଲଗାଇ ଦେଇଥିଲା ଶାସକ ବିଜେଡି । ଏମିତି କି ପ୍ରଚାର ମୈଦାନକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ଓହ୍ଲାଇଥିଲେ । ବହୁ ହେଭି ଓ୍ବେଟ ନେତା ପାଟକୁରାରେ ଡେରା ପକାଇଥିଲେ । ସ୍ବାଭିମାନ ବନାମ ସମ୍ମାନର ନାରା ବି ଦେଇଥିଲେ। ମାତ୍ର ଆଉ କେଇ ଘଣ୍ଟାର ଅପେକ୍ଷା ପରେ ପ୍ରକାଶ ପାଇବ ଜନତା ଜନାର୍ଦ୍ଦନଙ୍କ ମତ । କାହାକୁ ଜନତା ବହୁମତ ଦେଇଥିବେ ଏହା ସ୍ପଷ୍ଟ ହୋଇଯିବ ।