ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଫାଷ୍ଟଫୁଡ ଦୋକାନରେ ଭଙ୍ଗାରୁଜା କରିବା ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ୨ଜଣଙ୍କୁ ଗିରଫ କରିଛି । ତେବେ ଏହି ଘଟଣାରେ ଆହୁରି ଅନେକ ଫେରାର ଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ କଦଳୀଗୋଦାମର ଅଜୁ ବର୍ଦ୍ଧନ ଓ ମଞ୍ଚେଶ୍ୱରର ସନ୍ତୋଷ ବେହେରା । ଗତ ୧୩ ତାରିଖ ସନ୍ଧ୍ୟାରେ ଏହି ଘଟଣା ଘଟିଥିଲା ।
ଅଭିଯୁକ୍ତଦ୍ୱୟ ତାଙ୍କର କେତେକ ସହଯୋଗୀଙ୍କ ସହ ମିଶି ଅଚାନକ ଫାଷ୍ଟଫୁଡ ଦୋକାନରେ ଆତଙ୍କ ରଚିଥିଲେ । ବହ୍ଲା ଓ କାଠ ଫାଳିଆରେ ଆକ୍ରମଣ କରିଥିଲେ । ଆତଙ୍କ ଏପରି ଥିଲା ଯେ କିଛି ସମୟ ଚେୟାର ଓ ଟେବୁଲ ଉପରେ ଉପରେ ଉଡିଥିଲା । ଉପସ୍ଥିତ ଲୋକେ ଭୟଭିତ ହୋଇ ଦୌଡି ପଳାଇଥିଲେ । ଏହି ଘଟଣାକୁ ନେଇ କିଛି ସମୟ ରାସ୍ତା ଜାମ ରହିଥିଲା । ପୁଲିସ ପହଁଚିବା ବେଳକୁ ଅଭିଯୁକ୍ତମାନେ ଚମ୍ପଟ ମାରିଥିଲେ । ପାଖରେ ଥିବା ଏକ ସିସିଟିଭିକୁ ଯାଞ୍ଚ କରି ପୁଲିସ ଅଭିଯୁକ୍ତଙ୍କ ସମ୍ପର୍କରେ ସୁରାକ ପାଇଥିଲା । ବ୍ୟବସାୟିକ ଶତ୍ରୁତାକୁ ନେଇ ଏହି କାଣ୍ଡ ଘଟିଥିବା ଜଣାପଡିଛି ।