ପୁରୀ (ଏଟିଆର ବ୍ୟୁରୋ); ପାନୁଆ ଏବଂ ଗୁଟଖା ଖିଆଙ୍କୁ ଶ୍ରୀମନ୍ଦିର ମନା । ଯଦି କେହି ପାନ ଗୁଟଖା ଖାଇ ମନ୍ଦିରରେ ପ୍ରବେଶ କରେ ତେବେ ସେ ଜୋରିମାନା ଦେବାକୁ ବାଧ୍ୟ । ସେ ଦଇତାପତି ହୁଅନ୍ତୁ ବା ଭକ୍ତ । କେହି ବି ବାଦ ପଡିବେନି ଏହି ନିୟମରୁ । ସମସ୍ତଙ୍କ ପାଇଁ କରାଯାଇଛି ଏଭଳି କଡା ନିୟମ । ଆସନ୍ତା ଅଗଷ୍ଟ ୧ ତାରିଖରୁ ଲାଗୁ ହେବାକୁ ଯାଉଛି ଏହି ନିୟମ । ଗତକାଲି ଶ୍ରୀମନ୍ଦିରରେ ବସିଥିବା ଏକ ବୈଠକରେ ଏହି ନିଷ୍ପତି ନିଆଯାଇଛି ।ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ।
ତେବେ ଆଶା କରାଯାଉଛି ଏହି ନିୟମକୁ ସମସ୍ତେ ମାନିବେ । କାରଣ ଗତକାଲି ବସିଥିବା ବୈଠକରେ ଏଭଳି କଡା ନିୟମ ପାଇଁ କମିଟି ମଧ୍ୟ ଗଠନ କରାଯାଇଛି । ସିସିଟିଭି ମଧ୍ୟ ଯାଞ୍ଚ କରାଯିବ ବୋଲି କୁହାଯାଇଛି । ଗତକାଲି ବସିଥିବା ଏହି ବୈଠକରେ ଗଜପତି ମହାରାଜା ମଧ୍ୟ ଉପସ୍ଥିତ ରହିଥିଲେ । ପ୍ରଶାସନ ଏବଂ କମିଟି ନଜର ରଖିବେ । ଯେଉଁମାନେ ଏହି ନିୟମକୁ ଉଲଘଂନ କରିବେ ତାଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ।
ଏହାଛଡା ପରିଚାଳନା ବୈଠକରେ ଚଳିତ ରଥଯାତ୍ର୍ରାକୁ ଶାନ୍ତି ଶୃଙ୍ଖଳାରେ ଶେଷ କରିଥିବାରୁ ରାଜ୍ୟ ସରକାର, ସେବାୟତ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଧନ୍ୟବାଦ ଦିଆଯାଇଛି । ତେବେ ସ୍ନାନପୂର୍ଣ୍ଣିମା ଠାରୁ ନିଳାଦ୍ରୀବିଜେ ମଧ୍ୟରେ ଯେଉଁ ଅଳ୍ପ କିଛି ବିଶୃଙ୍ଖଳା ଦେଖିବାକୁ ମିଳିଥିଲା ତାହାର ସମୀକ୍ଷା ପାଇଁ ଏକ ସବକମିଟି ଗଠନ କରାଯାଇଛି । ଏପରିକି ଏଥିରେ ସମ୍ପୃକ୍ତ ଥିବା ୨୫ ଜଣଙ୍କୁ ନୋଟିସ ଜାରି କରାଯାଇଛି ।
ଅନ୍ୟପକ୍ଷରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ସ୍ନାନଯାତ୍ରା ଦିନ ବ୍ୟବସ୍ଥାବଳୀ ଉଲ୍ଲଂଘନ କରିଥିବା ପ୍ରସଙ୍ଗରେ ମତ ରଖିଥିଲେ ମୁଖ୍ୟ ପ୍ରଶାସକ। ଏହି ତ୍ରୁଟି ପାଇଁ ବିଧାୟକ ଶ୍ରୀ ଷଡ଼ଙ୍ଗୀ ବ୍ୟକ୍ତିଗତ ଭାବେ ତାଙ୍କୁ ସାକ୍ଷାତ କରି କ୍ଷମାପ୍ରାର୍ଥନା କରିବା ସହ ଦିଆଯାଇଥିବା ନୋଟିସ୍ର ଉତ୍ତର ପଠାଇଛନ୍ତି ବୋଲି ମୁଖ୍ୟ ପ୍ରଶାସକ କହିଥିଲେ।
ଗତ ବର୍ଷ ୪୮ ଜଣ ସେବକ ବ୍ୟବସ୍ଥାବଳି ଉଲ୍ଲଂଘନ କରିଥିବା ବେଳେ ଚଳିତ ବର୍ଷ ଏହି ସଂଖ୍ୟା ୨୫ ରହିଥିବା ଭିଡିଓରୁ ଜଣାପଡିଛି। ତ୍ରୁଟି ଅନୁଧ୍ୟାନ ପାଇଁ ଆଜି ଏକ ୫ ଜଣିଆ କମିଟି ଗଠନ କରାଯାଇଛି। ଏହି କମିଟିରେ ପରିଚାଳନା କମିଟିର ୫ ଜଣ ସଭ୍ୟ (ସେବକ ସଂପ୍ରଦାୟ) ରହିବେ। ପରିଚାଳନା କମିଟି ସଦସ୍ୟ ମାଧବ ପୂଜାପଣ୍ଡାଙ୍କୁ ଏହାର ଆବାହକ ଭାବେ ନିଯୁକ୍ତି ଦିଆଯାଇଛି।