ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ଶୀର୍ଷ ସୈନ୍ୟ ସମ୍ମାନରେ ସମ୍ମାନିତ କରାଯାଇପାରେ । ଦୀର୍ଘ ଦିନ ହେବ ଆଶା କରାଯାଉଥିଲା କି ଫେବୃଆର ୨୭ରେ ମିଗ୍ ୨୧, ପାକିସ୍ତାନର ଏଫ୍ ୧୬ ଯୁଦ୍ଧ ବିମାନକୁ ନିୟନ୍ତ୍ରଣ ରେଖା ନିକଟରେ ତଳକୁ ଖସାଇ ଦେଇଥିବା ଅଭିନନ୍ଦନଙ୍କୁ ସୈନ୍ୟ ସମ୍ମାନ ମିଳିବ । ଏହାର ଗୋଟେ ଦିନ ପୂର୍ବରୁ ପାକିସ୍ତାନର ବାଲାକୋଟ ସ୍ଥିତ ଆତଙ୍କି ସଂଗଠନ ଜୈଶ-ଏ-ମୋହମ୍ମଦ ର ଠିକଣା ଉପରେ ବାୟୁସେନା ପକ୍ଷରୁ ବୋମାବିସ୍ଫୋରଣ କରାଯାଇଥିଲା । ଏହି ଅପରେଶନରେ ବାୟୁସେନା ମିରାଜ ୨୦୦୦ ବିମାନ ବ୍ୟବହାର କରିଥିଲେ ।
ମିଡିଆ ରିପୋର୍ଟ ଅନୁସାରେ ଅଭିନନ୍ଦନଙ୍କୁ ବିର ଚକ୍ର ସମ୍ମାନ ମିଳିପାରେ । ଏହାସହିତ ଯେଉଁ ପାଇଲଟ ଆତଙ୍କି ସଂଗଠନକୁ ନିପାତ କରିଥିଲେ ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣ ସର୍ବଶ୍ରେଷ୍ଠକୁ ବାୟୁସେନା ପୁରସ୍କାର ମିଳିବାରେ । ଏନେଇ ଜଣେ ଅଧିକାରୀଙ୍କ ସୂତ୍ରରୁ ଜଣାପଡିଛି ।
ଅଭିନନ୍ଦନ ବର୍ତ୍ତମାନ ମିଗ୍ ୨୧ ବିମାନ ଯୋଗେ ପାକିସ୍ତାନ ଏଫ୍ ୧୬ କୁ ମାରି ତଳକୁ ଖସାଇ ପୂରା ବିଶ୍ୱରେ ଏକ ଇତିହାସ ସୃଷ୍ଟି କରିଥିଲେ । ଏନେଇ ବିଶେଷଜ୍ଞଙ୍କ କହିବାନୁଯାୟୀ ଭିନ୍ନ ଭିନ୍ନ ପିଢୀର ବିମାନ ଦ୍ୱାରା ଅନ୍ୟ ଏକ ବିମାନକୁ ମାରି ତଳକୁ ଖସାଇବା ଏଭଳି ମାମଲା ଅଭିନନ୍ଦନଙ୍କ କ୍ଷେତ୍ରରେ ପ୍ରଥମ ।
ପାକିସ୍ତାନ ବିମାନ ଏଫ୍ ୧୬ କୁ ତଳକୁ ଖସାଇବାର କିଛି ସେକେଣ୍ଡ ମଧ୍ୟରେ ଅଭିନନ୍ଦନଙ୍କ ବିମାନ କ୍ଷତିଗ୍ରସ୍ତ ହୋଇଥିଲା । ଯେଉଁଥିପାଇଁ ତାଙ୍କୁ ବିମାନରୁ ଡେଇଁବାକୁ ଚେଷ୍ଟା କରିଥିଲେ ଏବଂ ଭୁଲରେ ପାକିସ୍ତାନ ସୀମାରେ ଓହ୍ଲାଇଥିଲେ । ଯାହାପରେ ସେ ପାକିସ୍ତାନୀ ସେନା କବଳରେ ରହିଥିଲେ । ତାପରେ ଅନ୍ତରାଷ୍ଟ୍ରୀୟ ଚାପ ପଡିବା ଦ୍ୱାରା ଦୀର୍ଘ ୬୦ ଘଣ୍ଟା ପରେ ପାକିସ୍ତାନ ଅଭିନନ୍ଦନଙ୍କୁ ଭାରତକୁ ଫେରାଇଥିଲେ ।