ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ଓ ଜନମାନସର ନେତା ଅଟଳ ବିହାରୀ ବାୟପେୟୀଙ୍କର ଆଜି ରହିଛି ପବିତ୍ର ପୂଣ୍ୟତିଥି । ଗତ ବର୍ଷ ଠିକ ଆଜିର ଦିନରେ ୯୩ ବର୍ଷରେ ପରଲୋକ ହୋଇଥିବା ଅଟଳ ବିହାରୀ ବାଜପେୟୀ ଆଜି ବି ଜନମାନସରେ ଚିରସ୍ମରଣୀୟ । ତିନି ତିନି ଥର ଭାରତର ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେଇଥିବା ଏହି ମହାନ ଜନନାୟକ ଥିଲେ ଅଣକଂଗ୍ରେସ ରାଜନୀତିରେ ଏକ ଅନନ୍ୟ ଇତିହାସ । ଜାତୀୟ ରାଜନୀତିରେ ଅଟଳ ଆଜି ବି ଏକ ବିରାଟ ଶୂନ୍ୟସ୍ଥାନ । ସେ ଏକା ଧାରରେ ଥିଲେ ଜଣେ ତୁଙ୍ଗ ଜାତୀୟ ନେତା, ବିଚକ୍ଷଣ ରାଜନୀତିଜ୍ଞ, ନିଃସ୍ୱାର୍ଥପର ସାମାଜିକ କର୍ମୀ, ବଳିଷ୍ଠ ବକ୍ତା, କବି ଓ ସାହିତ୍ୟିକ, ସାମ୍ବାଦିକ ।
ମଧ୍ୟପ୍ରଦେଶର ଗ୍ୱାଲିୟରରେ ୧୯୨୪ ଡିସେମ୍ବର ୨୫ତାରିଖରେ ପିତା କୃଷ୍ଣ ବିହାରୀ ବାଜପେୟୀ ଓ ମାତା ଥିଲେ କୃଷ୍ଣା ଦେବୀଙ୍କ କୋଳରେ ଜନ୍ମଗ୍ରହଣ କରିଥିଲେ ଏହି ମହାନ ନେତା। ଅଟଳ ବିହାରୀ ବାଜପେୟୀ ଗ୍ୱାଲିୟରସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରେ ପାଠପଢ଼ା ଆରମ୍ଭ କରିଥିଲେ। ପରେ ଭିକ୍ଟୋରିଆ କଲେଜରେ ସ୍ନାତକ ପଢ଼ିଥିଲେ। କାନପୁରସ୍ଥିତ ଦୟାନନ୍ଦ ଆଙ୍ଗ୍ଲୋ-ବେଦିକ୍ କଲେଜରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ହାସଲ କରିଥିଲେ। ବାଜପେୟୀ ପ୍ରଥମେ ଜଣେ ସାମ୍ବାଦିକ ଭାବେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ।
ସେ ପ୍ରଥମ ଲୋକସଭା ନିର୍ବାଚନ ୧୯୫୨ରେ ଲଢ଼ିଥିଲେ ମାତ୍ର ବିଜୟ ହୋଇ ପାରି ନଥିଲେ । ପରେ କିନ୍ତୁ ୧୯୫୭ରେ ସେ ପ୍ରଥମ ଥର ପାଇଁ ବିଜୟ ହୋଇ ଲୋକସଭାକୁ ଯାଇଥିଲେ। ବାଜପେୟୀଙ୍କୁ ପ୍ରଥମେ ପରିଚୟ ଦେଇଥିଳଶ ତାଙ୍କ ଭାଷଣ । ଯାହା ସେ ସମୟରେ ଭାରତର ପ୍ରଧାନମନ୍ତ୍ରୀ ଜବାହାର ନେହରୁଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରି ଦେଇଥିଲା । ୧୯୯୬ରେ ସ୍ୱଳ୍ପ କାଳ ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବା ପରେ ୧୯୯୮ ମାର୍ଚ୍ଚ ୧୯ ଓ ପୁଣି ୧୯୯୯ ଅକ୍ଟୋବର ୧୩ରେ କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ । ତାଙ୍କ ନେତୃତ୍ୱରେ ୧୯୯୯ ମସିହାରେ କାରଗିଲ ଯୁଦ୍ଧ ହୋଇଥିଲା ।