କଳାହାଣ୍ଡି,(ଏଟିଆରବ୍ୟୁରୋ): ପଞ୍ଚାୟତ ସଂପ୍ରସାରଣ ଅଧିକାରୀଙ୍କ ନାଁରେ ସାଂଘାତିକ ଅଭିଯୋଗ । ବିବାହାର ପ୍ରତିଶ୍ରୁତି ଦେଇ ସମ୍ପର୍କ ରଖିବା ପରେ ଏବେ ଧୋକା ଦେଇଛନ୍ତି ବାବୁ । ଏଭଳି ସଂଗିନ୍ ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ରାମପୁର ବ୍ଲକର କାଠକୁରା ଗାଁରୁ । ପହଞ୍ଚାୟତରେ କାର୍ଯ୍ୟରତ ସଂପ୍ରସାରଣ ଅଧିକାରୀ ସିତାମ୍ବର ପ୍ରଧାନୀ ଜଣେ ଆଦିବାସୀ ଯୁବତୀଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ପୂରା ଘଟଣା ସମ୍ପର୍କରେ ଜାଣିବା ନେଇ ପୁଲିସ ଖୋଳତାଡ ଆରମ୍ଭ କରିଛି ।
ରିପୋର୍ଟ ଅନୁସାରେ, ଜୟପାଟଣା ବ୍ଲକ ପାଇକ କେନ୍ଦୁମୁଣ୍ଡି ପଞ୍ଚାୟତରେ ରହି ଏକ ଏନଜିଓ ସଂସ୍ଥାରେ କାର୍ଯ୍ୟ କରୁଥିଲେ ଯୁବତୀ ଜଣଙ୍କ । ସେଠାରେ ସମ୍ପ୍ରସାରଣ ଅଧିକାରୀଙ୍କ ସହ ତାଙ୍କର ଦେଖା ହୋଇଥିଲା । ଦେଖାହେବା ପରଠୁ ହିଁ ବାବୁ ସିତାମ୍ବର ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ । ହେଲେ ଯୁବତୀ ରାଜି ନହେବାରୁ ସିତାମ୍ବର ଖେଳିଥିଲେ ତାଙ୍କ ଚାଲ । ସିଧା ବାହା ହେବା କଥା କହି ପୂରା ଫାଇଦା ଉଠାଇଥିଲେ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବାବୁ ସିତାମ୍ବର ଯୁବତୀଙ୍କୁ ବିବାହ କରି ନିଜ ପାଖରେ ମଧ୍ୟ କିଛିଦିନ ରଖିଥିଲେ । ହେଲେ ମନଭରି ଯିବା ପରେ ଯୁବତୀଙ୍କୁ ଛାଡି ଏବେ ଚମ୍ପଟ ମାରିଛନ୍ତି ସିତାମ୍ବର ।
ସେପଟେ ପ୍ରତାରଣାର ଶିକାର ହେବା ଜାଣିବା ପରେ ଏବେ ଯୁବତୀ ଜଣଙ୍କ ଆଇନ୍ର ଆଶ୍ରୟ ନେଇଛନ୍ତି । ଉଭୟଙ୍କ ମିଳିତ ଫଟୋ ଓ ଆଉ କିଛି ପ୍ରମାଣ ସହ ସେ ଥାନାର ଦ୍ୱାରସ୍ତ ହୋଇଛନ୍ତି । ସିତାମ୍ବର ତାଙ୍କୁ ଧୋକା ଦେଇ ନିର୍ଯାତନା ଦେଇଥିବା ସେ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଥିବା ବେଳେ ଏନେଇ ଅଧିକ ତଦନ୍ତ ଆରମ୍ଭ କରିଛି ପୁଲିସ । ଜଣେ ପଞ୍ଚାୟତ ସଂପ୍ରସାରଣ ଅଧିକାରୀଙ୍କ ଏଭଳି କାଣ୍ଡ ଏବେ ସବୁଠି ଚର୍ଚ୍ଚାର ବିଷୟ ହୋଇଛି । ତୁରନ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି । ତେବେ ଏ ନେଇ ଆମେ ସିତାମ୍ବରଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବପର ହୋଇନାହିଁ ।