ଭୁବନେଶ୍ୱର,(ଏଟିଆରବ୍ୟୁରୋ): ପୁଣି ଦୁର୍ବୃତ୍ତଙ୍କ ଖୁଲମଖୁଲ୍ଲା ଚ୍ୟାଲେଞ୍ଜ । ରାତି ଅଧରେ ଘରେ ପଶିଲେ, ବାଇକ୍ ଓ କାରରେ ନିଆଁ ଲଗାଇଦେଲେ । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଦୁର୍ବୃତ୍ତଙ୍କ ଏଭଳି କାଣ୍ଡ ଅନ୍ୟ କେଉଁଠି ନୁହେଁ ପୁଣି ଜଣେ ବିଧାୟକଙ୍କ ଘରେ ଘଟିଛି । ତାଳଚେର ବିଧାୟକ ବ୍ରଜ କିିଶୋର ପ୍ରଧାନ ହିଁ ଦୁର୍ବୃତ୍ତଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ତେବେ କିଏ ଓ କାହିଁକି ଏଭଳି କାଣ୍ଡ ଭିଆଇଛନ୍ତି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।
ସେପଟେ ହାଇ ସିକ୍ୟୁରିଟି ଏରିଆ କୁହାଯାଉଥିବା ବିଧାୟକ କଲୋନୀରେ ଘଟିଥିବା ଏହି ଘଟଣା ପୁଣି ଥରେ କମିଶନରେଟ ପୁଲିସର ପାରିବା ପଣିଆକୁ ପଦାରେ ପକାଇଛି । ରିପୋର୍ଟ ଅନୁସାରେ, ରବିବାର ବିଳମ୍ବିତ ରାତିରେ ହିଁ ଏହି ଘଟଣା ଘଟିଛି । ବିଧାୟକ ରହୁଥିବା ସରକାରୀ କ୍ୱାଟରକୁ ଟାର୍ଗେଟ କରିଥିଲେ ଦୁର୍ବୃତ୍ତ । ବିଳମ୍ବିତ ରାତିରେ ସେଠାରେ ପଶି ନିଆଁ ଲଗାଇ ଦେଇଥିଲେ । ଫଳରେ ୨ଟି କାର, ୨ଟି ବାଇକ୍ ଓ ୨ଟି ସାଇକେଲ ଜଳି ଯାଇଥିବା ସୂଚନା ମିଳିଛି । ଏହି ଘଟଣା ପ୍ରଚାର ହେବା ପରେ କମିଶନରେଟ ପୁଲିସ ସାଇଣ୍ଟିଫିକ ଟିମ୍ ସହାୟତାରେ ଏବେ ଘଟଣାର ଖୋଳତାଡ ଆରମ୍ଭ କରିଛି ।
ପୂରା ଘଟଣା ପଛରେ ପୂର୍ବ ଶତ୍ରୁତା ରହିଥିବା ସନ୍ଦେହ କରାଯାଉଥିବା ବେଳେ ବାସ୍ତବ କାରଣ କ’ଣ ତାହା ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ । ସେପଟେ ଏନେଇ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା କହିଛନ୍ତି ଯେ, ଏହା ଦୁର୍ଭାଗ୍ୟଜନକ, ସେ ଏହାକୁ ତୀବ୍ର ନିନ୍ଦା କରିବା ସହ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ନେଇ ଦାବି କରିଛନ୍ତି । ତେବେ ଏହି ଘଟଣା ପରେ ରାଜଧାନୀର ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି? ଜଣେ ବିଧାୟକଙ୍କ ଘର ଯଦି ସୁରକ୍ଷିତ ନୁହେଁ ସେଠି ଅନ୍ୟ ମାନଙ୍କ ଅବସ୍ଥା ନକହିବା ଭଲ ।