ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୭୫ ତମ ଜନ୍ମ ଜୟନ୍ତୀ । ମାତ୍ର ୪୦ ବର୍ଷ ବୟସରେ ଭାରତର ପ୍ରଧାନମନ୍ତ୍ରୀ ହୋଇଥିବା ରାଜୀବ, ପିତା ଫିରୋଜ ଗାନ୍ଧୀ ଓ ମାତା ଇନ୍ଦିରା ଗାନ୍ଧୀଙ୍କ କୋଳରେ ୧୯୪୪ ମସିହା ଅଗଷ୍ଟ ୨୦ ତାରିଖରେ ଜନ୍ମ ନିଅନ୍ତି ମୁମ୍ବାଇରେ । ରାଜୀବ ଗାନ୍ଧୀଙ୍କ ମା ଇନ୍ଦିରା ଗାନ୍ଧୀଙ୍କୁ ହତ୍ୟା କରାଯିବା ପରେ ରାଜୀବ ଗାନ୍ଧୀ ହୁଅନ୍ତି ଭାରତର ପ୍ରଧାନମନ୍ତ୍ରୀ । ଖୁବ କମ ବୟସରେ ଭାରତର ପ୍ରଧାନମନ୍ତ୍ରୀ ହୋଇଥିବା ରାଜୀବଙ୍କର ପ୍ରଥମରୁ ରାଜନୀତି ପ୍ରତି କୌଣସି ଦୂର୍ବଳତା ନଥିଲା ।
ସେ ଇଂଲଣ୍ଡରେ ନିଜର ଶିକ୍ଷା ସମାପ୍ତ ପରେ ଭାରତରେ ଆସି ପାଇଲଟ ଲାଇସେନ୍ସ ପ୍ରାପ୍ତ କରି ଇଣ୍ଡିଆନ ଏୟାର ଲାଇନ୍ସରେ ପାଇଲଟ ଭାବେ ଯୋଗ ଦିଅନ୍ତି । ମାତ୍ର ଯେତେବେଳେ ୧୯୮୦ ମସିହାରେ ସଂଜୟ ଗାନ୍ଧୀଙ୍କର ଦୂର୍ଘଟଣାରେ ମୃତ୍ୟୁ ହୁଏ ସେତେବେଳେ ପରିସ୍ଥିତିରେ ପଡି ରାଜୀବ ଗାନ୍ଧୀ ରାଜନୀତିକୁ ଆସନ୍ତି । ସଂଜୟ ଗାନ୍ଧୀଙ୍କ ମୃତ୍ୟୁ ପରେ ଉତ୍ତରପ୍ରଦେଶର ଆମେଠି ଆସନରୁ ଉପ ନିର୍ବାଚନ ଲଢନ୍ତି ରାଜୀବ ଗାନ୍ଧୀ,ଏବଂ ପ୍ରଥମ ଥର ପାଇଁ ଯାଆନ୍ତି ସଂସଦକୁ ।
ତେବେ ଯେତେବେଳେ ୧୯୮୪ ମସିହା ୩୧ ଅକ୍ଟୋବର ଯେତେବେଳେ ଇନ୍ଦିରା ଗାନ୍ଧୀଙ୍କୁ ହତ୍ୟା କରାଗଲା ସେହି ମସୟରେ ରାଜୀବ ଗାନ୍ଧୀ ଥିଲେ କଂଗ୍ରେସର ଉତ୍ତରାଧିକାରୀ । ଇନ୍ଦିରା ଗାନ୍ଧୀଙ୍କ ଶୂନ୍ୟସ୍ଥାନ ପୂରଣ କରନ୍ତି ରାଜୀବ । ୧୯୮୪ ମସିହା ୩୧ ଅକ୍ଟୋବରରେ ଭାରତର ପ୍ରଧାନମନ୍ତ୍ରୀ ହୁଅନ୍ତି । ୧୯୮୪ ମସିହାରୁ ୧୮୮୯ ମସିହା ପର୍ଯ୍ୟନ୍ତ ଭାରତର ପ୍ରଧାନମନ୍ତ୍ରୀ ଥିଲେ ।