ଭୁବନେଶ୍ୱର,(ଏଟିଆରବ୍ୟୁରୋ): ଜିନ୍ସ ପ୍ୟାଣ୍ଟ ପିନ୍ଧି ଅଡୁଆରେ ପଡିଛନ୍ତି ଶିକ୍ଷକ । ହରାଇଛନ୍ତି ଗୋଟିଏ ଦିନର ଦରମା । ଅବିଶ୍ୱାସ ଲାଗୁଥିଲେ ବି ଏଭଳି ଏକ ଘଟଣା ଏବେ ସବୁଠି ଚର୍ଚ୍ଚାର ବିଷୟ ହୋଇଛି । ଘଟଣା ସାମ୍ନାକୁ ଆସିଛି ଗଂଜାମ ଜିଲ୍ଲାରୁ । ସ୍କୁଲକୁ ୟୁନିଫର୍ମ ପିନ୍ଧିବା ବଦଳରେ ସାର୍ ଜିନ୍ସ ପ୍ୟାଣ୍ଟ ପିନ୍ଧି ପଳାଇ ଆସିଥିଲେ । ଯାହା ତାଙ୍କ ପାଇଁ ଅଡୁଆ ହୋଇଛି ।
ପୂରା ଘଟଣାଟି ଏମିତି, ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଚିକିଲି ନୋଡାଲ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ାନ୍ତି ସାର ଜଣଙ୍କ । ତେବେ ଅଚାନକ୍ ସ୍କୁଲକୁ ବିଇଓ ଚେକିଂରେ ଆସିଥିଲେ । ହେଲେ ସାର ୟୁନିଫର୍ମ ପିନ୍ଧି ନଥିଲେ । ଏହା ଦେଖିବା ପରେ ବିଇଓ ରାଗିକି ଖପ୍ପା । ୨୦୦୫ରୁ କାର୍ଯ୍ୟରତ ଏହି ଶିକ୍ଷକ ଜଣଙ୍କ କେବେ ବି ୟୁନିଫର୍ମରେ ରହନ୍ତି ନାହିଁ ବୋଲି ଯାଞ୍ଚ କରି ବିଇଓ ଜାଣିବାକୁ ପାଇଥିଲେ ।
ତେଣୁ ଶାସ୍ତି ଦେବାକୁ ଯାଇ ସେ ଶିକ୍ଷକଙ୍କ ଗୋଟିଏ ଦିନ ଦରମା ବନ୍ଦ କରିଛନ୍ତି । କେବଳ ଏତିକି ନୁହେଁ ସମ୍ପୃକ୍ତ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇଥିବା ସୂଚନା ମିଳିଛି । ସେପଟେ ଏହି ଘଟଣାକୁ ଶିକ୍ଷକ ଜଣଙ୍କ ଅସ୍ୱୀକାର କରିଛନ୍ତି । ସବୁଦିନ ସେ ୟୁନିଫର୍ମରେ ଆସନ୍ତି ଓ ସେଦିନ ହିଁ ସେ ୟୁନିଫର୍ମରେ ଆସିନଥିବା ସଫେଇ ଦେଇଛନ୍ତି ।