ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଏଥର ନାପକିନକୁ ଥରେ ନୁହେଁ ଲଗାତର ବ୍ୟବହାର କରି ପାରିବେ । ନା ଇନ୍ଫେକ୍ସନର ଭୟ ନା ଅନ୍ୟକିଛି । ଅବିଶ୍ୱାସ ଲାଗୁଥିଲେ ବି କଥା ସତ । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ନାପକିନ ପୁଣି ତିଆରି ହୋଇଛି କଦଳୀ ଚୋପାରେ । ଆଇଆଇଟି ଦିଲ୍ଲୀର ଦୁଇ ଜଣ ଛାତ୍ର ଏମିତି ନାପକିନ ପ୍ରସ୍ତୁତ କରିଛନ୍ତି ଯାହାକୁ ୧୨୨ ଥର ବ୍ୟବହାର କରିହେବ । ଏତେଥର ବ୍ୟବହାର କରାଗଲେ ମଧ୍ୟ ଏହା ସଂକ୍ରମିତ ହୋଇ ନଥାଏ । ଏବଂ ଏହାର ମୂଲ୍ୟ ମଧ୍ୟ ସେତେ ଅଧିକ ନାହିଁ ।
ଏହାର ମୂଲ୍ୟ ରହିଛି ମାତ୍ର ୧୦୦ ଟଙ୍କା । ଆଇଆଇଟି ଦିଲ୍ଲୀର ବିଟେକ ଛାତ୍ର ଅର୍ଚିତ ଅଗ୍ରୱାଲ ଏବଂ ହରି ସହରାୱତ ବିଭିନ୍ନ ବିଭାଗର ପ୍ରଫେସରଙ୍କ ସହଯୋଗରେ ଏହି ନାପକିନ ପ୍ରସ୍ତୁତ କରିବାରେ ସକ୍ଷମ ହୋଇଛନ୍ତି । ତେବେ ଏହାକୁ ନେଇ ଆଇଆଇଟି ଡିଜାଇନ ବିଭାଗର ସହାୟକ ପ୍ରଫେସର ଶ୍ରିନିବାସ ଭେଙ୍କଟ ରମଣ ଛାତ୍ର ଦ୍ୱୟଙ୍କୁ ଏଥିରେ ସହଯୋଗ କରିଛନ୍ତି । ମହିଳାଙ୍କ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ପାଇଁ ଏହି ନାପକିନ ବହୁ ଉପାଦେୟ ହେବ ବୋଲି ସେ କହିଛନ୍ତି ।
ତେବେ ଏହି ନାପକିନକୁ ପ୍ରସ୍ତୁତ କରିବା ପାଇଁ ଦେଢ ଲକ୍ଷରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ କରାଯାଇଛି । ଏହା କଦଳୀ ଚୋପାକୁ ରାସାୟନିକ ପଦ୍ଧତି ମାଧ୍ୟମରେ ତିଆରି କରାଯାଇଛି । ଏହା ଖୁବ ଶିଘ୍ର ଅନଲାଇନରେ ଉପଲବ୍ଧ ହେବ । ଗୋଟିଏ ପ୍ୟାକେଟରେ ୨ ଟି ନାପକିନ ରହିବ । ଏହାକୁ ଥଣ୍ଡା ପାଣିରେ ଧୋଇ ପୁନଃ ବ୍ୟବହାର କରାଯାଇ ପାରିବ ।