ଭୁବନେଶ୍ୱର(ଏଟିଆର ବ୍ୟୁରୋ): ପୁଣି ରାଜଧାନୀ ରାଜ ରାସ୍ତାରେ ଫୁଟିଛି ବୋମା । ଗତ କାଲି ବିଳମ୍ବିତ ରାତିରେ ଚନ୍ଦ୍ରଶେଖର ପୁର ଜାଭିୟର ଛକ ନିକଟରେ ଏହି ଭଳି ଏକ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁସାରେ କାଲି ରାତି ପ୍ରାୟ ୧୦ଟା ୩୦ ମିନିଟି ସମୟରେ ଜାଭିୟର ଛକ ନିକଟରେ ଥିବା ଏକ ଚା ଦୋକାନ ଉପରକୁ କିଛି ଦୁର୍ବୃତ୍ତ ବୋମା ମାଡ କରି ସେଠାରୁ ଫେରାର ହୋଇ ଯାଇଥିଲେ ।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଗତକାଲି ରାତିରେ ଦୁଇ ଜଣ ଯୁବକ ଗୋଟିଏ କଳା ରଙ୍ଗର ଗାଡିରେ ଆସିଥିଲେ । କେହି କିଛି ବୁଝିବା ପୂର୍ବରୁ ଚା ଦୋକାନ ଉପରକୁ ବୋମା ମାଡ କରିଥିଲେ ଦୁର୍ବୃତ୍ତ । ଚା ଦୋକାନ ପାଖରେ ବସିଥିବା ସ୍ଥାନୀୟ ଯୁବକଙ୍କ ଉପରକୁ ବୋମା ପଡିଥିଲା । ବୋମା ମାଡ କରି ସେଠାରୁ ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ । ଏହି ଘଟଣାରେ ସ୍ଥାନୀୟ ଯୁବକ ସୁଶାନ୍ତ ଆହାତ ହୋଇଥିବାର ଜଣାପଡିଛି ।
ସ୍ଥାନୀୟ ଯୁବକଙ୍କ କହିବା ଅନୁସାରେ ଗତକିଛି ଦିନ ହେବ ସେମାନଙ୍କୁ ଅଜଣା କଲ ଆସୁଥିଲା । ଏହି କଲ ମାଧ୍ୟମରେ ସେମାନଙ୍କୁ ହତ୍ୟା ଧମକ ମିଳୁଥିଲା । ଗତ କିଛି ଦିନ ତଳେ ଗଣ୍ଡଗୋଳ ମାମଲାରେ ଗିରଫ ହୋଇ ଥିବା ଯୁବକ ଏହି ଭଳି ଘଟଣା ଘଟାଇଥିବା ଅନୁମାନ କରାଯାଉଛି । ବୋମା ମାଡ ପରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଛନ୍ତି । ଘଟଣା ସ୍ଥଳରେ ଚନ୍ଦ୍ରଶେଖର ପୁର ଥାନା ଓ ନୂଆପଲ୍ଲୀ ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ବ୍ୟବସାୟିକ ଶତ୍ରୁତାକୁ କେନ୍ଦ୍ରକରି ବୋମା ମାଡ କରାଯାଇଥିବା ନୂଆପଲ୍ଲୀ ଥାନା ଅଧିକାରୀ କହିଛନ୍ତି ।