ଭୁବନେଶ୍ୱର: କଥା ଦେଇଥିଲେ ସାତ ଜନମ ପାଇଁ ହାତ ଧରି ଚାଲିବେ । ହେଲେ ଅଧାରୁ ହାତ ଛାଡି ଧୋକ୍କା ଦେଲା ସ୍ୱାମୀ । ଯେଉଁ ସ୍ତ୍ରୀର ହାତ ଧରି ଏତେ ବର୍ଷ ବାଟ ଚାଲିଥିଲେ ସେଇ ସ୍ତ୍ରୀକୁ ଜୀଅନ୍ତା ଜାଳି ଦେଲା ସ୍ୱାମୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀର ମଞ୍ଚେଶ୍ୱର ଥାନା ଅଧିନ ପାଟଦେଇ ବସ୍ତିରେ । ଏହି ଘଟଣାରେ ଆଜି ଥାନା ପୁଲିସ ସ୍ୱାମୀକୁ ଗିରଫ କରିଛି । ଅଭିଯୁକ୍ତ ସ୍ୱାମୀ ବିଭୀଷଣ ସ୍ୟାଣ୍ଡିଲୀ ବୋଲି ପୁଲିସ କହିଛି ।
ମିଳିଥିବା ସୂଚନା ମୁତାବକ, ଆଜି ଭୋର୍ ସମୟରେ ବିଭୀଷଣଙ୍କ ଘରୁ ନିଆଁ ବାହାରୁଥିବା ତାଙ୍କ ଭଉଣୀ ଗୀତା ସ୍ୟାଣ୍ଡିଲୀ ଦେଖିବାକୁ ପାଇଥିଲେ । ପରେ ପାଖ ପଡୋଶୀଙ୍କୁ ଡାକି ନିଆଁ ଲିଭାଇଥିଲେ । ଘର କବାଟ ଭାଙ୍ଗି ଭିତରକୁ ପଶି ଦେଖିବା ବେଳକୁ ବୀଭୀଷଣଙ୍କ ପତ୍ନୀ ସୁକାନ୍ତି ସ୍ୟାଣ୍ଡିଲୀ ଜଳି ଯାଇଥିଲେ । ପତ୍ନୀଙ୍କୁ ଗଳା ଚିପି ହତ୍ୟା କରିବା ପରେ ଲଗା ପକାଇ ଜାଳି ଦେଇଥିବା ବୀଭିଷଣ ଭଉଣୀ ଗୀତାଙ୍କୁ କହିଥିବା ସେ ଗଣମାଧ୍ୟମ ଆଗରେ କହିଥିଲେ ।
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ବିଭୀଷଣକୁ ଗିରଫ କରିବା ସହ ମୃତ ସୁକାନ୍ତୀଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା । ସୁକାନିତ ତିନି ମାସର ଗର୍ଭବତୀ ଥିଲେ ବୋଲି ଗୀତା କହିଛନ୍ତି । ପରଘରେ ବାସନ ମାଜି ସୁକାନ୍ତି ପରିବାର ପୋଷଣ କରୁଥିବା ବେଳେ ଏହାକୁ ନେଇ ସବୁ ସମୟରେ ବିଭୀଷଣଙ୍କର ସନ୍ଦେହ ରହୁଥିଲା । ପତ୍ନୀ ଚିରିତ୍ର ଉପରେ ସନ୍ଦେହ କରି ଏପରି କାରନାମା ସେ କରିଥିବା ପୁଲିସ ଆଗରେ କହିଛନ୍ତି ।