ସମ୍ବଲପୁର,(ଏଟିଆରବ୍ୟୁରୋ): ଝାରସୁଗୁଡାରେ ଥିବା ହୋଣ୍ଡା ସୋରୁମରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ । ଲୁଟି ନେଇଛନ୍ତି ପାଖାପାଖି ୧୦ଲକ୍ଷ ଟଙ୍କା । ଶନିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ଏବେ ଏନେଇ ଖୋଳତାଡ ଆରମ୍ଭ କରିଛି ପୁଲିସ । ସୋରୁମ ପଛପଟ କବାଟ ତାଡି ଦୁର୍ବୃତ୍ତମାନେ ଏହି କାଣ୍ଡ ଭିଆଇଥିବା ସୂଚନା ମିଳିଛି ।
ସବୁଠୁ ବଡ଼ କଥା ହେଉଛି ଯାହା ତ’ ଟଙ୍କା ଲୁଟ୍ କଲେ କଲେ ଶେଷରେ ଗାଡି ପାଟ୍ସକୁ ବି ଛାଡିଲେ ନାହିଁ । କିଛି ପାଟ୍ସ ମଧ୍ୟ ଚୋରି ହୋଇଥିବା ସୋରୁମ କର୍ମଚାରୀ ଥାନାରେ ଜଣାଇଛନ୍ତି । ସବୁଦିନ ଭଳି ଆଜି ସକାଳୁ ଦୋକାନ ଖୋଲିବା ବେଳକୁ ଲୁଟ୍ ହୋଇଥିବା କଥା ଜଣାପଡିଥିଲା । ତେଣୁ ଏ ସମ୍ପର୍କରେ ସୋରୁମ ମାଲିକ ହରିଶ ମୋଦି ବିଟିଏମ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଘଟଣାର ଖୋଳତାଡ ଆରମ୍ଭ କରିଛି ।
ଯଦିଓ ଘଟଣାରେ ଜଡିତ ଦୁର୍ବୃତ୍ତଙ୍କ କୌଣସି ପତ୍ତା ମିଳିନାହିଁ ତଥାପି ଘଟଣା ପଛରେ ସୋରୁମ କର୍ମଚାରୀଙ୍କ ହାତ ଥାଇପାରେ ବୋଲି ପୁଲିସ ଏବେ ସନ୍ଦେହ କରୁଛି । ପୁଲିସ ରିପୋର୍ଟ ଅନୁସାରେ, ଶନିବାର ସୋରୁମ ବନ୍ଦ ରହୁଥିବା ବେଳେ ଏହାର ଫାଇଦା ଉଠାଯାଇଛି । ତେଣୁ ଏହି ଲୁଟପାଟ ଶୁକ୍ରବାର ରାତିରେ ହୋଇଥିବା ପୁଲିସ ସନ୍ଦେହ କରୁଛି ।