ପୁରୀ ( ଏଟିଆର ବ୍ୟୁରୋ): ପୁରୀ ଶ୍ରୀମନ୍ଦିର ଚାରି କଡୁ ଆରମ୍ଭ ହୋଇଛି ଜବର ଦଖଲ ଉଚ୍ଛେଦ । ମେଘନାଦ ପାଚେରୀ ଚାରିକଡୁ ୭୫ ମିଟର ମଧ୍ୟରେ ଥିବା ଜବର ଦଖଲକୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଉଛି । ଏହି ଅବସରରେ ଆଜି ପୁରାତନ ଏମାର ମଠ ଭଙ୍ଗାଯିବ ବୋଲି ସୂଚନା ମିଳିଛି । ଏନେଇ ପୂର୍ବରୁ ମଠର ମହନ୍ତ ଓ ସେଠାରେ ଥିବା ବ୍ୟବସାୟୀଙ୍କୁ ଯାଗା ଖାଲି କରିବା ପାଇଁ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା ।
ଆଜି ମାଜିଷ୍ଟ୍ରେଟ ଓ ଜିଲ୍ଲା ପ୍ରଶାସନର ବହୁ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଉଚ୍ଛେଦ କାର୍ଯ୍ୟ ତ୍ୱରାନୀତ ହେବ ବୋଲି ଜଣା ପଡିଛି । ଅନ୍ୟପଟେ ଏହି ପୁରାତନ ମଠ ଭଙ୍ଗା ଯିବାକୁ ନେଇ କେତେକ କ୍ଷେତ୍ରରେ ମଧ୍ୟ ସାଧାରଣରେ ଅସନ୍ତୋଷ ଦେଖିବାକୁ ମିଳିଛି । ସୂଚନଯୋଗ୍ୟ ଗତକାଲି ସୁପ୍ରିମ କୋର୍ଟ ଏକ ସସ୍ଥା ପକ୍ଷରୁ କରାଯାଇଥିବା ଏକ ଆବେଦନର ଶୁଣାଣୀ କରିଥିଲେ । ପ୍ରଶାସନ ପକ୍ଷରୁ କରାଯାଉଥିବା ଉଚ୍ଛେଦ ସମ୍ପୂର୍ଣ୍ଣ ଭାବେ ନ୍ୟାୟିକ ବୋଲି ଘୋଷଣା କରିଥିଲେ । ଉଚ୍ଛେଦ ପ୍ରକ୍ରିୟା ପୂର୍ବଭଳି ଜାରି ରହିବ ବୋଲି ନିର୍ଦେଶ ଦେଇଥିଲେ ସୁପ୍ରିମ କୋର୍ଟ ।
ମେଘ ନାଦ ପାଚେରୀ ଚାରି କଡରୁ ଜବର ଦଖଲ ଉଚ୍ଛେଦ ପାଇଁ ଗତ ୪ ଦିନ ତଳେ ପ୍ରଶାସନ ପ୍ରକ୍ରିୟା ଆରମ୍ଭ କରିଥିଲା । ବୁଲଡଜର ସାହାର୍ୟ୍ୟରେ ଜବର ଦଖଲ ଉଚ୍ଛେଦ କରାଯାଇଥିଲା । ଏମିତି କି ମେଘ ନାଦ ପାଚେରୀକୁ ଲାଗିଥିବା କେତେକ ସରକାରୀ କାର୍ୟ୍ୟାଳୟକୁ ମଧ୍ୟ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଥିଲା ।