କେନ୍ଦୁଝର,(ଏଟିଆରବ୍ୟୁରୋ): ପୁଣି ଏକ ବସ ଦୁର୍ଘଟଣା । ଘଟଣାରେ ୩୫ରୁ ଅଧିକ ଯାତ୍ର୍ରୀ ଆହତ । କେନ୍ଦୁଝର ଜିଲ୍ଲା ଯୋଡା ଅଞ୍ଚଳରେ ଆଜି ଘଟିଛି ଏହି ଦୁର୍ଘଟଣା । ଭାରସାମ୍ୟ ହରାଇ ବସଟି ଗଛରେ ପିଟି ହେବା ଯୋଗୁ ବସରେ ଥିବା ୩୫ଜଣ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ସମସ୍ତଙ୍କୁ ପୁଲିସ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଛି । ରିପୋର୍ଟ ଅନୁସାରେ, ଏକ କମ୍ପାନୀର ୩୫ଜଣ କର୍ମଚାରୀଙ୍କୁ ଧରି ବସଟି ଯୋଡାରୁ ଖଣ୍ଡବନ୍ଧ ଯାଉଥିଲା ।
ହେଲେ ଅଚାନକ୍ ବସ ଡ୍ରାଇଭର ଭାରସାମ୍ୟ ହରାଇ ବସିଥିଲେ । ରାସ୍ତାରେ ଥିବା ଏକ ଗଛରେ ବସଟି ମାଡ଼ ହୋଇଥିଲା । ଫଳରେ ଗାଡିରେ ଥିବା ୩୫ଜଣ କର୍ମଚାରୀ ଆହତ ହୋଇଛନ୍ତି । କାହାର ହାତ ତ’ ପୁଣି କାହାର ଗୋଡ । ଆଉ କାହାର ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ସୂଚନା ମିଳିଛି । ଘଟଣାରେ ଡ୍ରାଇଭର ମଧ୍ୟ ଆହତ ହୋଇଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ଟ୍ରାଫିକ୍ ସମସ୍ୟା ଉପୁଜିଥିଲା । ପରେ ଯୋଡା ପୁଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ଯାତାୟତକୁ ସ୍ୱାଭାବିକ କରିଥିଲା ।