ଭୁବନେଶ୍ୱର,(ଏଟିଆରବ୍ୟୁରୋ): ଢ଼େରଦିନର ଲୁଚକାଳୀ ପରେ ଶେଷରେ କମିଶନରେଟ ପୁଲିସକୁ ମିଳିଛି ସଫଳତା । ଚିହ୍ନଟ ହୋଇଛି ଯୌନ ପିପାଷୁ । ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଟ୍ୟୁସନରୁ ଆସୁଥିବା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ସେ ଥିଲା ମୋଷ୍ଟୱାଣ୍ଟେଡ । ଏହି ସୂଚନା ଦେଇଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ସେ ଏହାମଧ୍ୟ କହିଛନ୍ତି ଯେ, ଅଭିଯୁକ୍ତକୁ ଖୁବ ଶୀଘ୍ର ଗିରଫ କରାଯିବ ।
ଗତ ୨୧ତାରିଖରେ ସବରସାହିରେ ଯୌନ ପିପାଷୁ ଜଣଙ୍କ ନାବାଳିକାଙ୍କୁ ଅସଦାଚରଣ କରି ଉଭାନ ହୋଇ ଯାଇଥିଲା । ହେଲେ ସେ କରିଥିବା ସବୁ କାଣ୍ଡକାରନାମା ପାଖରେ ଲାଗିଥିବା ସିସିଟିଭିରେ କଏଦ ହୋଇଥିଲା । ଏନେଇ ନାବାଳିକାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ପରେ ଆରମ୍ଭ ହୋଇଥିଲା ଖୋଳତାଡ । ତେବେ ପୁଲିସ ଅଭିଯୁକ୍ତ ସମ୍ପର୍କରେ ପ୍ରଥମେ କୌଣସି ସୂଚନା ପାଇନଥିଲା ଫଳରେ ନାବାଳିକାଙ୍କ ପରିବାର ଲୋକ ପୁଲିସର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇବା ସହ ନିଜର ଅସନ୍ତୋଷ ଜାହିର କରିଥିଲେ ।
ସେପଟେ ଘଟଣାକୁ ନେଇ ଗଣମାଧ୍ୟମରେ ଲଗାତାର ଖବର ପ୍ରକାଶ ପାଇବା ପରେ ପୁଲିସର ବି ମୁଣ୍ଡ ବିନ୍ଧା ଆରମ୍ଭ ହୋଇଥିଲା । ତଦନ୍ତର ବେଗକୁ ପୁଲିସ ଆହୁରି ଜୋରରେ ବଢ଼ାଇଥିଲା । ଶେଷରେ ଅଭିଯୁକ୍ତ ସମ୍ପର୍କରେ ଏବେ ଠୋସ ତଥ୍ୟ ମିଳିଛି । ସେ କେଉଁଠି ରହିଛି ଆଉ ତା’ ନା କଣ ଏସବୁ ସମ୍ପର୍କରେ ଏବେ ପୁଲିସ ପାଖରେ ଖବର ପହଞ୍ଚିଛି । ଖୁବ୍ ଶୀଘ୍ର ସେ ଜେଲର ଚାରିକାନ୍ଥ ଭିତରେ ରହିବ ବୋଲି ପୁଲିସ କମିଶନର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।