ବ୍ରହ୍ମପୁର ( ଏଟିଆର ବ୍ୟୂରୋ) : ଡାକ୍ତର ଭୁଲ ଇଞ୍ଜକ୍ସନ ଦେବାରୁ ଜଣେ ନାବାଳକର ଗଲା ଜୀବନ! ଏମିତି ଏକ ସାଂଘାତିକ ଅଭିଯୋଗ ଆସିଛି ବ୍ରହ୍ମପୁର ଗେଟ ବଜାର ସ୍ଥିତ ଅମିତ ହସପିଟାଲରୁ । ସୂଚନା ଅନୁସାରେ ଗତ କିଛିଦିନ ତଳେ ନାଗରାଜ ସେଠୀ ନାମକ ଜଣେ ୧୧ ବର୍ଷୀୟ ବାଳକଙ୍କ ଗଳା କୌଣସି କାରଣ ପାଇଁ ଫୁଲିବାରୁ ତାଙ୍କୁ ପରିବାର ଲୋକେ ସିଟି ହସପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ଅବସ୍ଥା ଗରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଗେଟ ବଜାର ସ୍ଥିତ ଅମିତ ହସପିଟାଲରେ ଭତ୍ତି କରାଯାଇଥିଲା ।
ଅମିତରେ ଗତ ଦୁଇଦିନ ହେଲା ପିଲାଟିର ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଥିଲା । ହେଲେ ଗତକାଲି ଡାକ୍ତର ଏକ ଇଞ୍ଜକ୍ସନ ଦେବାର ମାତ୍ର କିଛି ସମୟ ପରେ ପିଲାଟିର ମୃତ୍ୟୁ ହୋଇଥିଲା । ତେବେ ଏହାକୁ ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ ଯୋଗୁ ତାଙ୍କ ପିଲାର ମୃତ୍ୟୁ ହୋଇଛି ।
ଏନେଇ ପରିବାର ଲୋକେ ଥାନାରେ ଡାକ୍ତରଙ୍କ ବିରୋଧରେ ଅଭିଯୋଗ ମଧ୍ୟ କରିଛନ୍ତି । ଘଟଣାକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ଦେଖା ଦେଇଥିଲା । ଏମିତିକି ମଡିକାଲ ଷ୍ଟାପଙ୍କ ସହିତ ପାଟି ତୁଣ୍ଡ ମଧ୍ୟ ହୋଇଥିଲା । ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଲୋକ ମାନଙ୍କୁ ବୁଝାସୁଝା କରିବା ସହ ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।