ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ପ୍ରକାଶ ପାଇଲା ବହୁ ପ୍ରତିକ୍ଷିତ ଏନଆରସି ତାଲିକା । ପାଖାପାଖି ୧୯ ଲକ୍ଷରୁ ଅଧିକ ଲୋକଙ୍କ ନାମ ନାହିଁ ତାଲିକାରେ । ଏହି ତାଲିକାରେ ୩ କୋଟି ୧୧ ଲକ୍ଷ ୨୧ ହଜାର ୪ ଜଣ ଲୋକଙ୍କ ନାମ ସାମିଲ । ତେବେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ତାଲିକା ପ୍ରକାଶ ପାଇବା ପରେ ୧୯ ଲକ୍ଷ ଲୋକଙ୍କ ଛାତିରେ ଏବେ ଛନକା । ସେମାନେ ଏବେ ସେମାନଙ୍କ ଭାଗ୍ୟ ଓ ଭବିଷ୍ୟତକୁ ନେଇ ଆଶଙ୍କାରେ ।
ତେବେ ଗୃହ ବିଭାଗ ପକ୍ଷରୁ ଭୟବିତ ନ ହେବାକୁ ଚେତାବନୀ ଦିଆଯାଇଛି । ସେହିଭଳି ଯେଉଁ ମାନଙ୍କର ନାମ ଏଥିରୁ ବାଦ ପଡିଛି ସେମାନେ ବିଦେଶ ଟ୍ରିବୁନାଲ ପାଖରେ ଆବେଦନ କରିପାରିବେ ବୋଲି ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଏନଆରସି ଅପଡେଟ ପାଇଁ ସୁପ୍ରିମ କୋର୍ଟ ୨୦୧୩ ମସିହାରେ ଆଦେଶ ଦେଇଥିଲେ । ଏହି ପ୍ରକ୍ରିୟା ୨୦୧୫ ମସିହାରୁ ଆରମ୍ଭ ହୋଇଥିଲା ।
ଏଥିରେ ସାମିଲ ହେବା ପାଇଁ ୧୯୫୧ ରେ ହୋଇଥିବା ପ୍ରଥମ ନାଗରିକ ତାଲିକା କିମ୍ବା ୨୪ ମାର୍ଚ୍ଚ ୧୯୭୧ ରେ ତାଲିକା ଭୁକ୍ତ ହୋଇଥିବା ଆବଶ୍ୟକ । ଏଥିପାଇଁ ଜନ୍ମ ପ୍ରମାଣ ପତ୍ର, ଭୂମି କାଗଜପତ୍ର, ସ୍ଥାୟୀ ଆବାସ, ଜାତିଗତ ପ୍ରମାଣ ପତ୍ର, ପାସପୋର୍ଟ , ନାଗରିକ ପ୍ରମାଣ ପତ୍ର, ସରକାରୀ କାମରେ ଥିଲେ ତାହାର ପ୍ରମାଣ ପତ୍ର ଏବଂ ଅଦାଲତ ରେକର୍ଡ ରହିବା ଆବଶ୍ୟକ । ତେବେ ଏନେଇ ଆଜି ଗୌହାଟୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।