ଭଦ୍ରକ,(ଏଟିଆରବ୍ୟୁରୋ): ମଦକୁ ବିରୋଧ କରି ରାସ୍ତାରେ ଶୋଇଲେ ମହିଳା । ଏଭଳି ଏକ ଘଟଣା ଏବେ ଭଦ୍ରକ ବାସୁଦେବପୁର ଇରମ ଆଢ଼ୁଅ ଗାଁରେ ଚର୍ଚ୍ଚାର ବିଷୟ ହୋଇଛି । ସ୍ଥାନୀୟ ଅଞ୍ଚଳରେ ଚୋରା ମଦକାର ହୋଇ ଆସୁଛି । ଯାହା ସ୍ଥାନୀୟ ଲୋକଙ୍କ ଉପରେ ବେଶ ପ୍ରଭାବ ପକାଉଛି । ଏନେଇ ବାରମ୍ବାର ଅଭିଯୋଗ କରାଯାଉଥିଲେ ବି କେହି ଏହା ଉପରେ ଗୁରୁତ୍ୱ ଦେଉନଥିବା ଅଭିଯୋଗ ହୋଇଛି ।
ଖାସ ଏଥିପାଇଁ ଜଣେ ମହିଳା ଏବେ ସର୍ବ ସମ୍ମୁଖକୁ ଆସିଛନ୍ତି । ଆଉ ଆପଣାଇଛନ୍ତି ଅଭିନବ ପ୍ରତିବାଦ । ମଝି ରାସ୍ତାରେ ବାଉଁସ ବାନ୍ଧି ଶୋଇ ରହିଛନ୍ତି । ଯେ ପର୍ଯ୍ୟନ୍ତ ପ୍ରଶାସନ ଏହା ଉପରେ ଦୃଷ୍ଟି ଦେବ ନାହିଁ ସେ ପର୍ଯ୍ୟନ୍ତ ସେ ଏମିତି ଶୋଇ ରହିବେ ବୋଲି ମହିଳା ଜଣଙ୍କ ଚେତାବନୀ ଦେଇଛନ୍ତି । ସେପଟେ ମହିଳାଙ୍କ ଏଭଳି ରାସ୍ତାରେ ଶୋଇବା ଫଟୋ ଭାଇରାଲ ହେବା ପରେ ତାଙ୍କୁ ବିଭିନ୍ନ ଆଡୁ ବହୁ ସମର୍ଥନ ମିଳିଛି । ଦାବି ହୋଇଛି ଓଡିଶାକୁ ମଦମୁକ୍ତ କରାଯାଉ । ମଦ ଲାଗି ଅନେକ ପରିବାର ଛାରଖାର ହେଉଥିବା ବେଳେ ସରକାର ଏଥିପ୍ରତି ନଜର ଦେବାକୁ ସବୁ ସ୍ତରରେ ଦାବି ହୋଇଛି ।