ବ୍ରହ୍ମପୁର,(ଏଟିଆରବ୍ୟୁରୋ): କାର୍ଯ୍ୟରେ ଯୋଗ ଦେବାର ବେଶିଦିନ ହୋଇନି । କିନ୍ତୁ ରହିଛନ୍ତି ପୂରା ଆକ୍ଟିଭ ମୁଡରେ । ଖାସ କରି ନିଶା କାରବାର ଉପରେ ରୋକ ଲଗାଇବାକୁ ସେ ଅଂଟା ଭିଡିଛନ୍ତି । ଫଳସ୍ୱରୂପ ବେଆଇନ୍ କାମ କରୁଥିବା ଅନେକଙ୍କ ନିଦ ଏବେ ହଜି ଯାଇଛି । ଆମେ କହୁଛୁ ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ କୁମାର ସେଠୀଙ୍କ କଥା । ଯାହାଙ୍କ କାର୍ଯ୍ୟଶୈଳୀକୁ ଏବେ ବେଶ ପ୍ରଶଂସା କରିଛନ୍ତି ସ୍ଥାନୀୟବାସୀ ।
ଥାନା ଅଧିକରୀ ଭାବେ ଯୋଗ ଦେବା ପରଠୁ ଶ୍ରୀ ସେଠୀ ଚୋରା ମଦ କାରବାର ଉପରେ ଚଢ଼ାଉ ଜାରି ରଖିଛନ୍ତି । ବୁଧବାର ସନ୍ଧ୍ୟାରେ ଅଚାନକ୍ ଚଢ଼ାଉ କରାଯାଇ ୨ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ପାଖରୁ ବିପୁଳ ପରିମାଣର ଚୋରା ମଦ ଜବତ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଡେଙ୍ଗା ଓସ୍ତା ଗାଁର ବାଳକୃଷ୍ଣ ବିଶୋୟୀ ଓ ଧର୍ମପୁର ଗାଁର ବିଷ୍ଣୁ ଦୋରା । ଏମାନଙ୍କ ପାଖରୁ ବିଭିନ୍ନ ବିଦେଶୀ ବ୍ରାଣ୍ଡର ୧୩୮ଟି ମଦ ଜବତ ହୋଇଛି । ରିପୋର୍ଟ ଅନୁସାରେ, ଢ଼େରଦିନ ହେବ ଏମାନେ ସ୍ଥାନୀୟ ଅଞ୍ଚଳରେ ଚୋରା ମଦ କାରବାର କରି ଆସୁଥିଲେ । ତେବେ ଏନେଇ ସୂଚନା ମିଳିବା ପରେ ଥାନା ଅଧିକାରୀ ଅଚାନକ୍ ଚଢ଼ାଉ କରିଛନ୍ତି । ଆଗକୁ ମଧ୍ୟ ଏଭଳି ଚଢାଉ ଜାରି ରହିବ ବୋଲି ସୂଚନା ମିଳିଛି ।