ଆଗ୍ରା,(ଏଟିଆରବ୍ୟୁରୋ): ଉତ୍ତରପ୍ରଦେଶର ଆଗ୍ରାରେ ଥିବା ଏକ ହସପିଟାଲରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ସକାଳ ୯ଟା ବେଳେ ନିଆଁ ଲାଗିଥିବା କୁହାଯାଉଥିବା ବେଳେ ଏଥିରେ କେହି ମୃତାଆହତ ହୋଇନଥିବା ଜଣାପଡିଛି । ତେବେ ନିଆଁ ଲାଗିବାର କାରଣ ଜଣାପଡିନାହିଁ । ସଟସର୍କିଟ ଯୋଗୁ ଏହି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି । ଅଚାନକ୍ ଅଗ୍ନିକାଣ୍ଡ ଯୋଗୁ ବେଶ କିଛି ସମୟ ପୂରା ହସପିଟାଲ ପରିସରରେ ଆତଙ୍କ ଖେଳିଯାଇଥିଲା ।
ନିଆଁ ଲାଗିବା ଯୋଗୁ ଏକ ମେଡିସିନ୍ ଷ୍ଟୋର ପୂରା ଛାରଖାର ହୋଇଯାଇଛି । ସେପଟେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା ପରେ ହସପିଟାଲରେ ରୋଗୀ ସେବା ସ୍ୱାଭାବିକ ହୋଇଛି । ରିପୋର୍ଟ ଅନୁସାରେ, ହସପିଟାଲର ଚକ୍ଷୁ ରୋଗ ବିଭାଗ ନିକଟରେ ଥିବା ମେଡିସିନ ଷ୍ଟୋରରେ ଧୂଆଁ ବାହାରୁଥିବା ପ୍ରଥମେ ଦେଖିବାକୁ ମିଳିଥିଲା । ଏହାପରେ ଲୋକଙ୍କ ମନରେ ଛନକା ପଶିଯାଇଥିଲା । ଯଦିଓ ହସପିଟାଲ କର୍ତ୍ତୃପକ୍ଷ ନିଆଁକୁ ପ୍ରଥମେ ଆୟତ କରିବା ଲାଗି ଚେଷ୍ଟା କରିଥିଲେ ତାହା କିନ୍ତୁ ସମ୍ଭବ ହୋଇନଥିଲା । ଚାହୁଁ ଚାହୁଁ ମେଡିସିନ ଷ୍ଟୋରଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା । ପରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ କରିଥିଲେ ।