ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରକୁ ସୁରକ୍ଷିତ ରଖିବାକୁ କେତେ ଚେଷ୍ଟା କରାଯାଉଛି । ଚାରିଆଡେ ସିସିଟିଭି ଆଉ ଛକ ଛକରେ ପୋଲିସ ଚେକିଙ୍ଗ । ହେଲେ କିଛି ସୁଫଳ ମିଳୁ ନାହିଁ । ପୋଲିସ ପ୍ରଶାସନ କହୁଛି ଦିନ ରାତି ପାଟ୍ରୋଲିଙ୍ଗ କରାଯାଉଛି । ତେବେ ଯଦି ପାଟ୍ରୋଲିଙ୍ଗ ହୋଉଛି ତାହାଲେ କିଭଳି ଭାବେ ରାଜଧାନୀରେ ଦିନ ଦିପହରେ ଲୁଟ , ହତ୍ୟାକାଣ୍ଡ ଘଟୁଛି ତାହା ଏବେ ଚର୍ଚ୍ଚା କେନ୍ଦ୍ର ବିନ୍ଦୁ ପାଲଟିଛି । କେତେ ସୁରକ୍ଷିତ ରାଜଧାନୀ ତାହା ଦିନ ଦିପହରେ ରଙ୍ଗମାଟିଆରେ ଘଟିଥିବା ହତ୍ୟାକାଣ୍ଡ କହୁଛି ।
ରଙ୍ଗମାଟିଆରେ ଜଣେ ଯୁବକଙ୍କୁ ଦୁଇ ଜଣ ଦୁର୍ବୃତ୍ତ ଗୋଡାଇ ଗୋଡାଇ ହାଣି ହତ୍ୟା କରିଛନ୍ତି । ମୃତ ଯୁବକଙ୍କ ନାମ ଦୀପକ ବେହେରା ଓ ତାଙ୍କ ଘର ରଙ୍ଗମାଟିଆ ତଳ ସାହିରେ ବୋଲି ଜଣାପଡିଛି । ରଙ୍ଗମାଟିଆରେ ଥିବା ଏକ ଇଂରାଜୀ ମାଧ୍ୟମ ସ୍କୁଲ ସମ୍ମୁଖରେ ଏଭଳି ଘଟଣା ଘଟିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଦୀପକଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ତାଙ୍କୁ ନିକଟରେ ଥିବା ଘରୋଇ ହସପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦୀପକଙ୍କ ଉପରେ ତିନି ମାସ ତଳେ ମଧ୍ୟ ଆକ୍ରମଣ ହୋଇଥିବାର ଜଣାପଡିଛି । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟା କାଣ୍ଡ ଘଟିଥିବାର ପୋଲିସ ସନ୍ଦେହ କରୁଛି । ଘଟଣା ସ୍ଥଳରେ ମଞ୍ଚେଶ୍ୱର ଥାନା ପୋଲିସ ପହଞ୍ଚି ସିସିଟିଭି ଫୁଟେଜ ଜାଞ୍ଚ କରିବା ସହ ତଦନ୍ତ ଆରମ୍ଭ କରିଛି ।