ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭିତରେ ହେଲା ହଙ୍ଗାମା । ଏମିତି ସେମିତି ନୁହେଁ ଜୋରଦାର । କମେଣ୍ଟମରାକୁ କେନ୍ଦ୍ରକରି ହୋଇଥିବା ଗଣ୍ଡଗୋଳ ଘଟଣାରେ ସାମ୍ବାଦିକଙ୍କୁ ବି ମାଡ଼ ମାରିବାକୁ ପଛାଇଲେ ନାହିଁ ଅନୁଷ୍ଠାନର ଛାତ୍ର । ଏହି ଘଟଣାକୁ ନେଇ ସାମ୍ବାଦିକଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ପୁଲିସ ୨୪ଘଣ୍ଟାର ସମୟ ମାଗିଥିଲା । କିନ୍ତୁ ର୍ଦୁଭାଗ୍ୟ ଏବେ ବି ହାତ ବାନ୍ଧି ବସିଛି ପୁଲିସ । ଯାହାକୁ ନେଇ ଏବେ ସାମ୍ବାଦିକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।
ସେପଟେ କ୍ୟାମ୍ପସ ଭିତରେ ହୋଇଥିବା ଆକ୍ରମଣ ଘଟଣା ଲାଗିଥିବା ସିସିଟିଭିରେ କଏଦ ହୋଇଛି । ତେବେ ସିସିଟିଭି ଫୁଟେଜକୁ ପୁଲିସ ଏଯାବତ ଯାଞ୍ଚ ନକରିବା ଅନେକ ପ୍ରଶ୍ନ ଛିଡା କରିଛି । ଭିତିରିଆ ସାଲିସ ହୋଇଥିବା ନେଇ ସହିଦନଗର ଥାନା ଅଧିକାରୀଙ୍କ ଉପରେ ଆଙ୍ଗୁଳି ଉଠିଛି । ଘଟଣାପରଠୁ ହିଁ ଥାନା ଅଧିକାରୀ ସାଲିସ ମୁଡରେ ଥିବା କଥା ଚର୍ଚ୍ଚା ହେଉଛି । କାରଣ ଘଟଣାପରଠୁ ଏଯାବତ ଅଭିଯୁକ୍ତଙ୍କୁ ଧରିବା ବଦଳରେ ତେଲ ମାରିବାରେ ମାତିଛନ୍ତି ଥାନା ଅଧିକାରୀ ।
କେତେବେଳେ କଲେଜ ଅଧ୍ୟକ୍ଷଙ୍କୁ ବୁଝାଉଛନ୍ତି ତ’ ପୁଣି କେତେବେଳେ ଦେଖିବା ଦେଖିବା କହି ସାମ୍ବାଦିକଙ୍କୁ ଭୁଆଁ ବୁଲାଉଛନ୍ତି । ଯାହା ତାଙ୍କର ସ୍ୱଚ୍ଛତା ଉପରେ ଦାଗ ଲଗାଇଛି । ଗତକାଲି ଘଟଣାକୁ ନେଇ ତୁମ୍ବିତୋଫାନ ହୋଇଥିଲା । ସେପଟେ ଏ ସମ୍ପର୍କରେ ବରିଷ୍ଠ ପୁଲିସ ଅଧିକାରୀ ଅଭିଯୁକ୍ତଙ୍କୁ ବାନ୍ଧିବାକୁ କହୁଥିବା ବେଳେ ତାଙ୍କ କଥାକୁ ବି ଫୁ କରିଦେଇଛନ୍ତି ଥାନା ଅଧିକାରୀ । ଶୁଣିବାକୁ ମିଳୁଛି ଏହି ବରିଷ୍ଠ ଅଧିକାରୀଙ୍କ ବଦଳି ହୋଇଯାଇଥିବାରୁୁ ଥାନା ଅଧିକାରୀଙ୍କ ତୋଡ ବଢ଼ିଯାଇଛି । ସେଥିପାଇଁ କଥାକୁ ହେଜ୍ଞାନ କରୁଛନ୍ତି ।
ମିଳିଥିବା ରିପୋର୍ଟ ଅନୁସାରେ, ୨ମାସ ହେବ ଜଣେ ବ୍ୟକ୍ତି କିରାଣୀ ଓ ତାଙ୍କ ମହିଳା ସହଯୋଗୀ ଏହି ଅନୁଷ୍ଠାନରେ ଯୋଗ ଦେଇଥିଲେ । ସେମାନେ ଗତ ୧୬ ତାରିଖ କ୍ୟାମ୍ପସରେ ବସି କଥା ହେଉଥିବା ବେଳେ କେତେକ ଛାତ୍ର ସେମାନଙ୍କୁ କମେଣ୍ଟ କରିଥିଲେ । ଏହାକୁ ନେଇ କେତେକ ଛାତ୍ର ଓ କିରାଣୀଙ୍କ କେତେକ ବନ୍ଧୁ ମୁହାଁମୁହିଁ ହୋଇଥିଲେ । ଚାପା ଉତେଜନା ଦେଖି ନିକଟରେ ଥିବା ଜଣେ ସାମ୍ବାଦିକ ପୂରା ଘଟଣାର ମୋବାଇଲ ରେର୍କଡିଂ କରିବାକୁ ଯାଇଥିବା ବେଳେ ତାଙ୍କୁ ଅଚାନକ ଆକ୍ରମଣ କରାଯାଇଥିଲା । ପୁଲିସ ଘଟଣାସ୍ଥଳକୁ ଯାଇ ବୁଝାସୁଝା କରିଥିଲେ ମଧ୍ୟ ପାଖାପାଖି ୨ଘଣ୍ଟାରୁ ଅଧିକ କାଳ ପରିସ୍ଥିତି ଅଣାୟତ ରହିଥିଲା । ଅଭିଯୋଗ ହୋଇଛି ପ୍ରେମ ବ୍ୟାପାରକୁ ନେଇ ପୂରା କାଣ୍ଡ ଘଟିଛି । ତେବେ ଜଣେ ସାମ୍ବାଦିକଙ୍କୁ ଆକ୍ରମଣ ହେବା ନେଇ ଭୁବନେଶ୍ୱରର ସମସ୍ତ ସାମ୍ବାଦିକ ପୁଲିସକୁ ଘେରି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଥିଲେ ।