ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଗତ ୧ ତାରିଖରେ ଆରମ୍ଭ ହୋଇଥିବା ମୋଟର ଭେଇକିଲ ଆକ୍ଟକୁ ନେଇ ସବୁ ଆଡେ ଚର୍ଚ୍ଚା । ଭିତ୍ତିଭୂମି ଠିକ ନଥାଇ ଆଇନ କାର୍ଯ୍ୟକାରୀ ହୋଇଥିବାରୁ ଅନେକ ଯାଗାରେ ଜନଅସନ୍ତୋଷ ଦେଖିବାକୁ ମିଳିଥିଲା । ଯାହାର ବାସ୍ତବ ପ୍ରମାଣ ଥିଲା ଭୁବନେଶ୍ୱର ରାଜ ମହଲରେ ହୋଇଥିବା ଲଙ୍କାକାଣ୍ଡ । ତେବେ ସେ ଯାହାବି ହେଉ ଜନ ଅସନ୍ତୋଷ ତିବ୍ର ହେବାରୁ ରାଜ୍ୟରେ ଏହି ଆଇନକୁ ୩ ମାସ ପର୍ଯ୍ୟନ୍ତ କୋହାଳ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ତେବେ ଏହି ପରିପ୍ରେକ୍ଷୀରେ ଏବେ ରାଜ୍ୟର ସମସ୍ତ ଆରଟିଓ ଅଫିସରେ ଭିଡ ଦେଖିବାକୁ ମିଳିଛି ।
ରାଜଧାନୀ ଭୁବନେଶ୍ୱର ୨ ଟି ଯାକ ଆରଟିଓ ଅଫିସରେ ସମାନ ଅବସ୍ଥା । ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆରଟିଓ ଅଫିସ ସମସ୍ତ କର୍ମଚାରୀଙ୍କ ଛୁଟି ପୂର୍ବରୁ ବାତିଲ କରାଯାଇଥିଲା । ତଥାପି କାର୍ଯ୍ୟାଳୟରେ ଭିଡ କମିବାର ନାଁ ନେଉନି । ଗତକାଲି ସ୍ଥିତି ପରଖିବା ପାଇଁ ପରିବହନ ସଚିବ ୧ ନଂ ଆରଟିଓ ଅଫିସ ପରିଦର୍ଶନ କରିଥିଲେ ।
ଲୋକମାନଙ୍କ ସୁବିଧା ନେଇ ହାଇମାକ୍ସ ଲାଇଟ ଲଗାଇ ଓଭର ଟାଇମ କାର୍ଯ୍ୟ କରିବା ପାଇଁ ନିର୍ଦେଶ ଦେଇଛନ୍ତି ପରିବହନ ସଚିବ ଜି. ଶ୍ରୀନିବାସ । ଅନ୍ୟପଟେ ସରକାର ୩ ମାସ କୋହଳ ଘୋଷଣା କରିବା ପରେ ଏବେ ଭୁବନେଶ୍ୱରରେ ଟ୍ରାଫିକ ଯାଞ୍ଚ କୋହଳ ହୋଇଥିବା ଦେଖିବାକୁ ମିଳିଛି ।